csstore

ଅଜଣା ବାଇକ୍ ଧକ୍କାରେ ଚାଲିଗଲା ରୋଜଗାରିଆ ପୁଅର ଜୀବନ : ଅସହାୟ ପରିବାରକୁ ସହାୟତା ଦାବି

ବଲାଙ୍ଗିର, (ମୁନା ଗୌଡ଼) : ବଲାଙ୍ଗିର ଜିଲ୍ଲାରେ ଘଟିଛି ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା। ଅଜଣା ମୋଟରସାଇକେଲ ଧକ୍କାରେ ଘୁଙ୍ଗୀ ଗ୍ରାମର ଯୁବକ ବିଜୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି । ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟଙ୍କ ଅକାଳ ବିୟୋଗ ପରେ ପରିବାର ଗଭୀର ଆର୍ଥିକ ସଙ୍କଟରେ ପଡ଼ିଛି। ସୂଚନା ଅନୁଯାୟୀ, ବିଜୟ ଘର କାମ ସାରି ଖାଇବା ପରେ ନିଜ ବିଲକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ମୋଟରସାଇକେଲ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ବିଜୟଙ୍କ ମୁଣ୍ଡ, ଗୋଡ଼ ସହ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା ଏବଂ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ବିଜୟଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବିଜୟ ଜଣେ ଦୈନିକ ମଜୁରିଆ ଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାରର ଜୀବିକା ଉପରେ ଗୁରୁତର ପ୍ରଭାବ ପଡ଼ିଛି। ତେଣୁ ଦୁର୍ଘଟଣା ଘଟାଇଥିବା ଅଜଣା ବାଇକ୍ ଓ ଚାଳକଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ସହ ମୃତକଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗାଇବାକୁ ପରିବାର ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏପଟେ, ଘଟଣାକୁ ନେଇ ବଲାଙ୍ଗିର ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।

jayashree
Leave A Reply

Your email address will not be published.