
ବଲାଙ୍ଗିର, (କେପିଏନ୍ଏସ୍) : ଶିକ୍ଷା କ୍ଷେତ୍ରରେ ଲୋଇସିଂହା ପାଇଁ ଆସିଲା ବଡ଼ ଖୁସି ଖବର । ଉନ୍ନତ ହେବ ମହାବିଦ୍ୟାଳୟର ଭିତ୍ତିଭୂମି, ବଢ଼ିବ ଶିକ୍ଷାର ମାନ । ଲୋଇସିଂହା ଡିଗ୍ରୀ ମହାବିଦ୍ୟାଳୟର ବିକାଶ ପାଇଁ ରାଜ୍ୟ ସରକାର ୪ କୋଟି ୬୮ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଅନୁଦାନରେ ମହାବିଦ୍ୟାଳୟ ପରିସରରେ ନୂତନ ଶ୍ରେଣୀଗୃହ, ଏକ ବହୁମୁଖୀ ହଲ୍ ଏବଂ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ କରାଯିବ । ଫଳରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପରିବେଶ ମିଳିବା ସହ ଛାତ୍ରୀମାନଙ୍କ ରହଣି ସମସ୍ୟା ମଧ୍ୟ ଦୂର ହୋଇପାରିବ । ଦୀର୍ଘଦିନ ଧରି ଶିକ୍ଷା ଭିତ୍ତିଭୂମିର ଉନ୍ନତିକୁ ଅପେକ୍ଷା କରିଥିବା ଲୋଇସିଂହା ଅଞ୍ଚଳ ପାଇଁ ଏହି ଅନୁଦାନ ଏକ ବଡ଼ ଉପଲବ୍ଧି ବୋଲି ମତପ୍ରକାଶ ପାଇଛି । ଏହାଦ୍ୱାରା ଉଚ୍ଚଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ପାଇବା ସହ ମହାବିଦ୍ୟାଳୟର ଶିକ୍ଷାଗତ ପରିବେଶ ଆହୁରି ସମୃଦ୍ଧ ହେବ ବୋଲି ଆଶା କରାଯାଉଛି । ଏହି ବିକାଶମୂଳକ ପଦକ୍ଷେପ ପାଇଁ ଲୋଇସିଂହା ଅଞ୍ଚଳର ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ କୃତଜ୍ଞତା ଜଣାଇଛନ୍ତି । ସରକାରଙ୍କ ଏହି ଅନୁଦାନ ଲୋଇସିଂହା ମହାବିଦ୍ୟାଳୟର ବିକାଶରେ ନୂଆ ଅଧ୍ୟାୟ ଯୋଡ଼ିବା ସହ ଅଞ୍ଚଳର ଉଚ୍ଚଶିକ୍ଷା କ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି ଆଶା ପ୍ରକାଶ ପାଇଛି ।