
ବାରିପଦାବାସୀଙ୍କ ଦୀର୍ଘବର୍ଷର ସ୍ୱପ୍ନ ହେବ ପୂରଣ : ବୁଢାବଳଙ୍ଗ ରିଙ୍ଗରୋଡ଼ ପ୍ରକଳ୍ପ ପାଇଁ ୨୭୮.୧୩ କୋଟି ଟଙ୍କାର ଅନୁମୋଦନ
- ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରଚେଷ୍ଟାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ବୁଢାବଳଙ୍ଗ ନଦୀ ପାର୍ଶ୍ଵରେ ରିଙ୍ଗରୋଡ଼ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଥିଲା । ତେବେ ବାରିପଦା ସହରକୁ ବାରମ୍ବାର ବନ୍ୟା ଦାଉରୁ ସୁରକ୍ଷା ଦେବା ଲକ୍ଷ୍ୟରେ ଏକ ବୃହତ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ନୀତିଗତ ଭାବେ ଅନୁମତି ପ୍ରଦାନ କରାଯାଇଛି । ରାଜ୍ୟ ସରକାର କିଛିଦିନ ତଳେ ପ୍ରଥମ ପର୍ଯ୍ୟାୟରେ ବୁଢାବଳଙ୍ଗ ନଦୀରେ ଜଳ ସଂରକ୍ଷଣ ଓ ନିୟନ୍ତ୍ରଣ ପାଇଁ ଆଇଏସ୍ଏସ୍ ବ୍ୟାରେଜ ନିର୍ମାଣ ନିମନ୍ତେ ୧୯୬ କୋଟି ଟଙ୍କା ଅନୁମୋଦନ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବୁଢ଼ାବଳଙ୍ଗ ନଦୀର ବାମ ପାର୍ଶ୍ୱରେ ବାରିପଦା ସହର ନିକଟରେ ବନ୍ୟା ସୁରକ୍ଷା ବନ୍ଧ ସହ ରିଙ୍ଗ ରୋଡ ନିର୍ମାଣ ପାଇଁ ୨୭୮.୧୩ କୋଟି ଟଙ୍କାର ପ୍ରକଳ୍ପକୁ ସରକାରୀ ଅନୁମତି ମିଳିଛି । ଏହା ମୟୂରଭଞ୍ଜ ଜଳସେଚନ ଡିଭିଜନ, ବାରିପଦା ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷ ଯୋଜନାରେ କାର୍ଯ୍ୟକାରୀ ହେବ । ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଆରତୀ ରାଉତ ଏନେଇ ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଥିବାର ଜଣାଯାଇଛି । ବାରିପଦା ସହରରେ ବାରମ୍ବାର ବନ୍ୟା ପରିସ୍ଥିତି ଉପୁଜୁଥିବା ଏବଂ ସହରାଞ୍ଚଳର ଜନସାଧାରଣଙ୍କ ସୁରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁମତି ଦିଆଯାଇଥିବା ପତ୍ରରେ ସ୍ପଷ୍ଟ କରାଯାଇଛି । ତେବେ ଏହି ଅନୁମତି ସହ ସମ୍ପୂର୍ଣ୍ଣ ଅର୍ଥ ବ୍ୟବସ୍ଥା ଓ ବର୍ଷୱାରୀ ପାଣ୍ଠି ଯୋଗାଣ ଯୋଜନା ଦାଖଲ କରିବାକୁ କୁହାଯାଇଛି । ଏଥିସହ କାର୍ଯ୍ୟ ଆରମ୍ଭ ହେବାର ତିନି ମାସ ମଧ୍ୟରେ ଚୂଡ଼ାନ୍ତ ପ୍ରସ୍ତାବ ଅର୍ଥ ବିଭାଗକୁ ପୁନଃ ଦାଖଲ କରିବାକୁ ପଡ଼ିବ । ବୈଷୟିକ ପରାମର୍ଶଦାତା କମିଟିର ସୁପାରିସ ଓ ନିର୍ଦ୍ଧାରିତ କାର୍ଯ୍ୟ ପରିସର ଅନୁଯାୟୀ କାମ କରିବା ସହ ସମସ୍ତ ଆଇନଗତ, ଆର୍ଥିକ ଓ ବୈଧାନିକ ନିୟମ ପାଳନ କରିବାକୁ କୁହାଯାଇଥିବା ବେଳେ ଏହି ପ୍ରସ୍ତାବକୁ ଅର୍ଥ ବିଭାଗର ସହମତି ମିଳିଥିବା ଜଣାପଡ଼ିଛି । ଏହି ପ୍ରକଳ୍ପ ବାସ୍ତବ ରୂପ ନେଲେ ବାରିପଦା ସହରର ବନ୍ୟା ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି । ତେବେ ୨୦୧୩ ମସିହା ଫାଇଲିନରେ ବାରିପଦା ସହର ବନ୍ୟା ଦ୍ୱାରା ବ୍ୟାପକ କ୍ଷତିଗ୍ରସ୍ତ ହେବା ପରେ ବୁଢ଼ାବଳଙ୍ଗ ନଦୀରେ ଆଡିବନ୍ଧ ତଥା ରିଙ୍ଗରୋଡ଼ ନିର୍ମାଣ ପାଇଁ ବାରିପଦାବାସୀ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲା । ବିଭିନ୍ନ ନିର୍ବାଚନ ସମୟରେ ଏହା ନିର୍ବାଚନୀ ପ୍ରତିଶୃତି ଭାବରେ ମଧ୍ୟ ରହି ଆସିଛି । ବିଭିନ୍ନ ସମୟରେ ଏହାର ସର୍ଭେ ଆଦି ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ହୋଇପାରିନଥିଲା । ତେବେ ବର୍ତ୍ତମାନର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ବାରିପଦାବାସୀଙ୍କର ଏହି ଦାବିକୁ ସାକାର କରିବା ପାଇଁ ଦୃଢତାର ସହିତ ପ୍ରୟାସ କରି ଆସୁଥିଲେ । ଅନେକ ଥର ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀଙ୍କୁ ନେଇ ବୈଠକ କରିବା ପରେ ଏହାର ସର୍ଭେ କାମ ସରିଥିଲା । ତେବେ ଏହି ପ୍ରକଳ୍ପ ପାଇଁ ସରକାରୀ ଅନୁମୋଦନ ମିଳିଥିବାରୁ ବୁଦ୍ଧିଜୀବୀ ମହଲରେ ମନ୍ତ୍ରୀ ଡା. ମହାପାତ୍ରଙ୍କ ପ୍ରୟାସକୁ ପ୍ରଶଂସା କରାଯାଉଛି ।