
ବଲାଙ୍ଗିର, (ମୁନା ଗୌଡ଼) : ସାପ ନା ଶୁଣିଲେ ସାଧାରଣତଃ ଲୋକଙ୍କ ଭିତରେ ଛନକା ପଶିଯାଏ । ଆଉ ଯଦି ସାପ କାମୁଡ଼ିଦିଏ ତାହାହେଲେ କଥା ସରିଲା । କେତେବଡ ସାହସୀ ମଣିଷ ବି ଭୟରେ ଅଧା ମରିଯାଏ । ବର୍ତ୍ତମାନ ସର୍ପ ଦଂଶନ ବଲାଙ୍ଗିର ଜିଲ୍ଲାରେ ନେଉଛି ଗୋଟିଏ ପରେ ଗୋଟିଏ ଜୀବନ । ପ୍ରତିଦିନ ସର୍ପ ଦଂଶନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ସାହାଜବାହାଲ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଗ୍ରାମର ସମାରୀ ମାଝୀ ରାତିରେ ଘର ଚଟାଣରେ ଶୋଇଥିବା ବେଳେ ସର୍ପ ଦଂଶନର ଶିକାର ହୋଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ସାପଟି କଳା ଓ ଧଳା ରଙ୍ଗର ଥିବାରୁ ଏହା ଏକ ଚିତ୍ତି ସାପ ବୋଲି ସନ୍ଦେହ କରାଯାଉଛି । ସର୍ପ ଦଂଶନ ପରେ ସମାରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଚିକିତ୍ସା ଧୀନ ଅବସ୍ଥାରେ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସବୁଠାରୁ ଦୁଃଖଦ ବିଷୟ ହେଉଛି, କିଛି ଦିନ ପୂର୍ବରୁ ସମାରୀଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ମାଆଙ୍କୁ ମଧ୍ୟ ହରାଇ ଦେଇଛି, ତାଙ୍କ ୧୩ ବର୍ଷର ନାବାଳକ ପୁଅ । ଫଳରେ ପରିବାରର ଏକମାତ୍ର ଆଶ୍ରୟ ଭାଙ୍ଗି ପଡ଼ିଥିବା ବେଳେ ଶିଶୁଟିର ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଛି ଚିନ୍ତା । ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନ ପକ୍ଷରୁ ପରିବାରକୁ ତୁରନ୍ତ ସହାୟତା ଓ ସରକାରୀ ଅନୁକମ୍ପା ପ୍ରଦାନ କରିବାକୁ ଦାବି କରିଛନ୍ତି ।
