ଏଆଇଏଲ୍‌ୟୁ ଓ ରାଉରକେଲା ଆଇନ୍ ମହାବିଦ୍ୟାଳୟ ପକ୍ଷରୁ ପରିବର୍ତ୍ତିତ ସମାଜରେ ଆଇନଜୀବୀଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ (ଏଆଇଏଲ୍‌ୟୁ) ସୁନ୍ଦରଗଡ଼ ଜିଲ୍ଲା କମିଟି ଦ୍ୱାରା ଆୟୋଜିତ ଓ ରାଉରକେଲା ଆଇନ୍ ମହାବିଦ୍ୟାଳୟ ସହଯୋଗରେ ମହାବିଦ୍ୟାଳୟ ସଭାଗୃହରେ ଆଜି ପରିବର୍ତ୍ତିତ ସମାଜରେ ଆଇନଜୀବୀଙ୍କ ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଲୟର୍ସ ୟୁନିୟନର ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ଲୟର୍ସ ୟୁନିୟନର ଜିଲ୍ଲା ସାଧାରଣ ସମ୍ପାଦକ ରାଜ କିଶୋର ପ୍ରଧାନ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଆଲୋଚନା ସଭାରେ ମୁଖ୍ୟବକ୍ତା ଭାବେ ଲୟର୍ସ ୟୁନିୟନର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀ, ରାଉରକେଲାର ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର, ରାଉରକେଲା ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ବିଭୂରଞ୍ଜନ ପଟ୍ଟନାୟକ, ଉପାଧ୍ୟକ୍ଷା ଡଃ. ସମ୍ପାଦିକା ମହାନ୍ତି, ଡଃ. ପ୍ରଜ୍ଞାପରମିତା ପଣ୍ଡା, ଲୟର୍ସ ୟୁନିୟନର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅରିନ୍ଦମ ଦତ୍ତ ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ, ଦେଶ ସ୍ଵାଧୀନତା ଆନ୍ଦୋଳନରେ ଆଇନଜୀବୀ ମାନଙ୍କ ଏକ ପ୍ରମୁଖ ଭୂମିକା ରହିଥିଲା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ମଧୁସୂଦନ ଦାସଙ୍କ ପର୍ଯ୍ୟନ୍ତ ଆଇନଜୀବୀମାନେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମାଜିକ ନ୍ୟାୟ ପାଇଁ ସଂଗ୍ରାମ ଅବିସ୍ମରଣୀୟ ବୋଲି କହିବା ସହିତ ବର୍ଣ୍ଣ ବୈଷମ୍ୟ ବାଦ ବିରୋଧୀ ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନରେ ବହୁ ଆଇନଜୀବୀ ସାମିଲ ହୋଇଥିବା କହିଥିଲେ । ଆଜି ଦିନରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ସୁରକ୍ଷା ପାଇଁ ଆଇନଜୀବୀମାନେ ପୂର୍ବସୁରୀ ମାନଙ୍କ ପରି ନିଜର ଭୂମିକା ନିର୍ବାହନ କରିବାକୁ ମୁଖ୍ୟବକ୍ତା ଶ୍ରୀ ପଙ୍ଗାରୀ ଆହ୍ୱାନ କରିଥିଲେ । ଶେଷରେ ଲୟର୍ସ ୟୁନିୟନର ଜିଲ୍ଲା ଉପ ସଭାପତି ଚନ୍ଦ୍ରଭାନୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ସଭାରେ ବହୁ ଆଇନଜୀବୀ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସହିତ ସାମିଲ ହୋଇଥିଲେ ।

Leave A Reply

Your email address will not be published.