- ସଫଳ କ୍ରୀଡ଼ାବିତ୍ମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଆଇଜି
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ପୋଲିସ ଆନୁକୂଲ୍ୟରେ ଆଜି ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ ପରେଡ୍ ଗ୍ରାଉଣ୍ଡଠାରେ ‘ଦ୍ୱିତୀୟ ବାର୍ଷିକ ପୋଲିସ କ୍ରୀଡ଼ା ପ୍ରତିଯୋଗିତା-୨୦୨୫’ ଅନୁଷ୍ଠିତ ହୋଇଯାଇଛି । ଏହି ତିନି ଦିନିଆ କ୍ରୀଡ଼ା ମହୋତ୍ସବ ଡିସେମ୍ବର ୧୯ରୁ ଆରମ୍ଭ ହୋଇ ଡିସେମ୍ବର ୨୧ ପର୍ଯ୍ୟନ୍ତ ଚାଲିବ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଉରକେଲା ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ (ଆଇପିଏସ୍) ଯୋଗ ଦେଇ କ୍ରୀଡ଼ା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ରାଉରକେଲା ଏସପି ନୀତେଶ ୱାଧୱାନୀ (ଆଇପିଏସ୍) ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆଇଏସ୍ଏଫ୍ର ସିନିୟର କମାଣ୍ଡାଣ୍ଟ ବିଜୟ କୁମାର ଏବଂ ଚତୁର୍ଥ ଓଏସ୍ଏପିର କମାଣ୍ଡାଣ୍ଟ ପ୍ରମୋଦ ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜାତୀୟ ଓ ରାଜ୍ୟ ସ୍ତରରେ ଗୌରବ ଆଣିଥିବା ପୋଲିସ କ୍ରୀଡ଼ାବିତ୍ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଗୁଜରାଟର ରାଜକୋଟଠାରେ ଅନୁଷ୍ଠିତ ‘ସର୍ବ ଭାରତୀୟ ପୋଲିସ ହକି ଚାମ୍ପିଅନସିପ୍’ରେ ଉତ୍ତର ପ୍ରଦେଶ ପୋଲିସକୁ ୨-୧ ଗୋଲ୍ରେ ପରାସ୍ତ କରି କାଂସ୍ୟ ପଦକ ଜିତିଥିବା ଓଡ଼ିଶା ପୋଲିସ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗଞ୍ଜାମଠାରେ ଅନୁଷ୍ଠିତ ‘ରାଜ୍ୟ ପୋଲିସ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍’ରେ ସିଙ୍ଗଲ୍ସ ଓ ଡବଲ୍ସ ବର୍ଗରେ ମୋଟ ୪ଟି ପଦକ ହାସଲ କରିଥିବା ପଶ୍ଚିମାଞ୍ଚଳ ପୋଲିସ ବ୍ୟାଡମିଣ୍ଟନ ଦଳକୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ମିଟ୍ରେ ଜିଲ୍ଲା ପୋଲିସ, ଏପିଆର ଫୋର୍ସ, ପିଏସଏସ ଷ୍ଟାଫ୍, ଡିଭିଏଫ୍ ୟୁନିଟ୍, ଟ୍ରାଫିକ୍ ପୋଲିସ ଏବଂ ହୋମଗାର୍ଡ ବାହିନୀର ପ୍ରାୟ ୬୦୦ କର୍ମଚାରୀ ଅଂଶଗ୍ରହଣ କରୁଛନ୍ତି । ଆଥଲେଟିକ୍ସ (୧୦୦ମି, ୨୦୦ମି, ୮୦୦ମି ଓ ୫୦୦୦ମି ଦୌଡ଼), ଲଙ୍ଗ୍ ଜମ୍ପ, ହାଇ ଜମ୍ପ, ସଟପୁଟ୍, ଡିସ୍କସ୍ ଥ୍ରୋ ଏବଂ ଜାଭେଲିନ୍ ଥ୍ରୋ । ପ୍ରତିଯୋଗିତାଗୁଡ଼ିକୁ ୪୦ ବର୍ଷରୁ କମ୍ ଏବଂ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ବିଭକ୍ତ କରାଯାଇଛି । କ୍ରିକେଟ୍, ଫୁଟବଲ୍ ଏବଂ ଭଲିବଲ୍ ମଧ୍ୟ ସାମିଲ ରହିଛି । ଉଦଘାଟନୀ ଉତ୍ସବରେ ଡିପିଏସ୍ ବ୍ୟାଣ୍ଡ ଦଳ ଦ୍ୱାରା ଏକ ଚିତ୍ତାକର୍ଷକ ପ୍ରଦର୍ଶନ କରାଯାଇଥିଲା । ଏହି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୋଲିସ କର୍ମଚାରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ବଜାୟ ରଖିବା ସହ ବିଭିନ୍ନ ୟୁନିଟ୍ ମଧ୍ୟରେ ସମନ୍ୱୟ, ଟିମ୍ୱାର୍କ ଏବଂ କ୍ରୀଡ଼ା ମନୋଭାବକୁ ସୁଦୃଢ଼ କରିବା ।