ୟୁକୋ ବ୍ୟାଙ୍କରେ ନକଲି ସୁନା ଋଣ ଦୁର୍ନୀତି : ନକଲି ଅଳଙ୍କାର ରଖି ୫୫ ଲକ୍ଷ ଟଙ୍କା ଆତ୍ମସାତ୍, ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ

ବାଲିଗୁଡା : (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ବଡ଼ଧରଣର ସୁନା ଋଣ ଦୁର୍ନୀତି ପଦାକୁ ଆସିଛି । ବ୍ୟାଙ୍କରେ ସୁନା ଆପ୍ରାଇଜର୍‌ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ପ୍ରାୟ ୫୫ ଲକ୍ଷ ଟଙ୍କା ଋଣ ନେଇଥିବା ଜଣାପଡିଛି । ସୁନା ଆପ୍ରାଇଜର ଜଣକ ନିଜ ନାଁରେ ଋଣ ନନେଇ ଅନ୍ୟ ୨ ଜଣ ନାଁରେ ଏହି ଋଣ ନେଇଥିବାବେଳେ ସେମାନେ ଋଣ ସୁଝିନପାରିବା ପରେ ଘଟଣା ପଦାକୁ ଆସିଛି । ବନ୍ଧକ ପଡିଥିବା ସୁନା ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡିଥିଲା । ସୂଚନା ଅନୁଯାଇ ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ୩ ବର୍ଷ ଧରି ପି. ସତ୍ୟରାମ ଆଚାରୀ ସୁନା ଆପ୍ରାଇଜର୍‌ ଭାବେ ଦାୟିତ୍ୱ ତୁଲାଉଥିଲେ । ଏହାର ସୁଯୋଗ ନେଇ ସେ ଚତୁରତାର ସହ ନିଜର ସୁନା ଦୋକାନରେ କାମ କରୁଥିବା ୨ ଜଣଙ୍କ ନାଁରେ ୨ଟି କିସ୍ତିରେ ପ୍ରାୟ ୫୫ ଲକ୍ଷ ଟଙ୍କାର ସୁନା ଋଣ ନେଇଥିଲେ । ଦୋକାନରେ କାମ କରୁଥିବା ଗରିବ ଝିଅ ରୁନୁବାଳା ପ୍ରଧାନଙ୍କ ଦସ୍ତଖତ ନେଇ ୨୦୨୧ରେ ୟୁକୋ ବ୍ୟାଙ୍କରେ ନକଲି ସୁନା ଅଳଙ୍କାର ବନ୍ଧକ ରଖି ସେ ୨୫ ଲକ୍ଷ ଟଙ୍କା ଋଣ ମଞ୍ଜୁର କରି ନେଇଥିଲେ । ପରେ ରୁନୁବାଳାଙ୍କ ଆକାଉଣ୍ଟରୁ ଟଙ୍କା ନିଜ ଆକାଉଣ୍ଟକୁ ନେଇଥିଲେ । ଦୀର୍ଘ ୩ ବର୍ଷ ପରେ ଋଣ ଅବଧି ଶେଷ ହୋଇଯିବା ପରେ ବ୍ୟାଙ୍କ ପକ୍ଷରୁ ଗତ ଜୁଲାଇ ମାସରେ ଘଟଣାର ଖୋଳତାଡ଼ କରାଯାଇଥିଲା । ଯାଞ୍ଚ ବେଳେ ଋଣ ନେଇଥିବା ରୁନୁବାଳା ଋଣ ସୁଝିନଥିବା ଜଣାପଡିଥିଲା । ଏ ସଂକ୍ରାନ୍ତରେ ବ୍ୟାଙ୍କ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି ହୋଇଥିଲା । ଦୋକାନରେ କାମ କରୁଥିବା ରୁନୁଙ୍କୁ ବ୍ୟାଙ୍କ ପକ୍ଷରୁ ୩୪ ଲକ୍ଷ ଟଙ୍କା ଋଣ ପରିଶୋଧ କରିବାକୁ ଜୁଲାଇ ମାସରେ ନୋଟିସ୍ ଜାରି ହୋଇଥିଲା । ସେ ଜଣେ ଗରିବ ପରିବାରର ହୋଇଥିବାରୁ ଏତେ ଟଙ୍କା ଋଣ କିଭଳି ନେବେ ବୋଲି କହିବା ପରେ ଘଟଣା ପଦାକୁ ଆସିଥିଲା । ଯାଞ୍ଚ ପରେ ଜାଲିଆତି କରି ନକଲି ସୁନା ଦେଇ ବିପୁଳ ପରିମାଣର ଋଣ ନିଆଯାଇଥିବା ଜଣାପଡିଥିଲା । ସେହିପରି ଜି. ସୀମାଞ୍ଚଳ ରେଡ୍ଡୀଙ୍କ ନାମରେ ମଧ୍ୟ ସୁନା ଆପ୍ରାଇଜର୍‌ ପ୍ରାୟ ୩୦ ଲକ୍ଷ ଟଙ୍କାର ଋଣ ନେଇଥିବା ଜଣାପଡିଛି । ଏଠାରେ ନକଲି ସୁନା ଅଳଙ୍କାର ଦିଆଯାଇ ଏହି ସୁନା ଋଣ ନିଆଯାଇଥିବା ଜଣାପଡିଛି । ଏତେ ଟଙ୍କାର ଋଣ ପରିଶୋଧ ନହେବା ପରେ ବ୍ୟାଙ୍କ ପକ୍ଷରୁ ସେମାନଙ୍କ ଦ୍ୱାରା ବ୍ୟାଙ୍କରେ ଦାଖଲ ହୋଇଥିବା ସୁନା ଅନ୍ୟ ଜଣେ ସୁନାରୀଙ୍କ ଦ୍ୱାରା ଯାଞ୍ଚ ପରେ ତାହା ନକଲି ସୁନା ଅଳଙ୍କାର ବୋଲି ଜଣାପଡିଥିଲା । ଏହି ୫୫ଲକ୍ଷ ଟଙ୍କାର ଦୁର୍ନୀତି ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଇତିମଧ୍ୟରେ ସୁନା ଆପ୍ରାଇଜର୍‌ ସତ୍ୟରାମ ଗତ ଜୁଲାଇ ମାସଠାରୁ ନିଜର ସୁନା ଦୋକାନ ବନ୍ଦ କରି କେଉଁଆଡ଼େ ଚାଲିଯାଇଥିବା ଜଣାପଡିଛି । ମଙ୍ଗଳବାର ଏହି ଘଟଣାର ତଦନ୍ତ କରିବାକୁ ଫୁଲବାଣୀ ୟୁକୋ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର୍‌ କାହ୍ନୁ ଚରଣ ସାହୁ ଓ ଭଞ୍ଜନଗରର ଜଣେ ସୁନାରି ବାଲିଗୁଡ଼ା ୟୁକୋ ବ୍ୟାଙ୍କକୁ ଆସି ମାମଲାର ତଦନ୍ତ କରିଛନ୍ତି । ସଂପୃକ୍ତ ସୁନାରି ସୁନା ଚିହ୍ନିବା ପରେ ବ୍ୟାଙ୍କର ଜୋନାଲ ଅଫିସକୁ ତଦନ୍ତ ରିପୋର୍ଟ ଦେଇଛନ୍ତି । ଘଟଣା ସମ୍ପର୍କରେ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି । ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବ୍ୟାଙ୍କ ପକ୍ଷରୁ ପୁଣି ଉକ୍ତ ସୁନାର ତନଖୀ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.