ବାଲିରେ ବାଲିଯାତ୍ରା ଆସନ୍ତା ୨୯ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକଦା ଓଡିଆ ସାଧବ ପୁଅ ବଣିଜ ବେପାର କରିବା ପାଇଁ ବାଲି, ଯାଭା, ସୁମାତ୍ରା, ବୋର୍ଣ୍ଣିଓ ପ୍ରଭୃତି ଅଂଚଳକୁ ଯାତ୍ରା କରି ସେଠାରେ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରିବା ସହ ଅର୍ଥନୈତିକ କ୍ଷେତ୍ରରେ ନିଜକୁ ସୁଦୃଢ କରିପାରିଥିଲେ । ତେବେ ସେହି ପୁରୁଣା ସ୍ମୃତିକୁ ମନେପକାଇବା ତଥା ଦୁଇ ଦେଶ ମଧ୍ୟରେ ଭାବର ଆଦାନ ପ୍ରଦାନ, ଓଡିଶାର ସଂସ୍କୃତି ଐତିହ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ‘ବାଲିରେ ବାଲିଯାତ୍ରା’ କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ବାଲି ଠାରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଭୁବନେଶ୍ଵରର କଳିଙ୍ଗ ଇଣ୍ଟରନ୍ୟାସନାଲ ୟୁଥ ଫେଡେରେସନ ତରଫରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଉରକେଲାର ନୃତ୍ୟ ମଧୁରମର ଗୁରୁ ସୁବ୍ରତ କୁମାର ଭୂୟାଁଙ୍କ ନେତୃତ୍ବରେ ୨୧ଜଣିଆ ନୃତ୍ୟ ଶିଳ୍ପୀ ସାମିଲ ହେବେ । ସେଥିମଧ୍ୟରୁ ୮ଜଣ ଓଡିଶୀ ନୃତ୍ୟ ଓ ଅନ୍ୟମାନେ ବିହୁ,ଶତ୍ରିୟ ତଥା ଓଡିଶାର ପଟ୍ଟଚିତ୍ରରେ ଅଂଶଗ୍ରହଣ କରିବେ । ଏହାସହ ଫେସନ ସୋ’ରେ ମଧ୍ୟ ଭାଗ ନେବେ । ଏହି କାର୍ଯ୍ୟକ୍ରମରେ ବାଲିର ସାଂସଦ ଡଃ ଆର୍ୟ୍ୟ ଉଦୟକରନ, ସେଠାକାର ଚ୍ୟାମ୍ବର ଅଫ୍ କମର୍ସର ସଭାପତି ମନୀଷ ତ୍ରିପାଠୀ ଉପସ୍ଥିତ ରହିବେ ବୋଲି ସାମ୍ବାଦିକଙ୍କୁ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଫେଡେରେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ବିଭୁ ପ୍ରସାଦ ସ୍ବାଇଁ, ଗୁରୁ ସୁବ୍ରତ କୁମାର ଭୂୟାଁ, ସମାଜସେବୀ ଜୋୟା ତ୍ରିପାଠୀ, ଲୁସି ଦାଶ, ପ୍ରତିକ୍ଷା ଦାସ, ବସିଦା ପଟ୍ଟନାୟକ ଓ ଅଭିପ୍ସା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.