jayashree

ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍‌ପିଏଲ୍‌ କ୍ଲଷ୍ଟର ତରଫରୁ ସେକ୍ଟର ୧୬ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଣ୍ଡାଙ୍କ ସଭାପତିତ୍ୱ ତଥା କାର୍ଯ୍ୟକ୍ରମର ମୁଖ୍ୟ ସିଆର୍‌ସିସି ଦୀପକ କୁମାର ସାମଲଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସତ୍ୟାନନ୍ଦ ବେହେରା ମୁଖ୍ୟ ଅତିଥି ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଓ ପ୍ରାକ୍ତନ ସିଆରସିସି ଭାସ୍କର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ବେହେରା ନିଜ ବକ୍ତବ୍ୟରେ କହିଲେ ଯେ, ଶିଶୁଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ତଥା ଲୋକାଭିମୁଖି କରିବା ପାଇଁ ସରକାରଙ୍କ ଶିକ୍ଷା ବିଭାଗର ଏହି ଉଦ୍ୟମ ପ୍ରଶଂସନୀୟ । ଏହା ସହ ବିଭିନ୍ନ ଉଦାହରଣ ଦେଇ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ପଟ୍ଟନାୟକ ଓ ଶ୍ରୀ ନନ୍ଦ ଏଭଳି କାର୍ଯ୍ୟକ୍ରମ ପିଲାମାନଙ୍କୁ ସେମାନଙ୍କ ପ୍ରତିଭାକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ବକୃତା, ହସ୍ତାକ୍ଷର, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବନ୍ଧ, ସାଧାରଣ ଜ୍ଞାନ, ବିତର୍କ, ସୃଜନଶୀଳ ଲେଖନ, ମଧ୍ୟାହ୍ନ ଭୋଜନ ଆଧାରିତ ଚିତ୍ରକଳା ଓ ଶିଳ୍ପକଳା ଆଦି ପ୍ରତିଯୋଗିତା କରାଯାଇଥିଲା । ଏଥିରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରାୟ ୧୩ଟି ବିଦ୍ୟାଳୟର ୨୦୦ରୁ ଅଦିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ବିଚାରକ ଭାବେ ସର୍ବଶ୍ରୀ ରାଜକିଶୋର ମହାନ୍ତି, ଅଶୋକ କୁମାର ପଟ୍ଟନାୟକ, ଅଶୋକ ବଳ, ହରିହର ବେହେରା, ପ୍ରଭାକର ପାତ୍ର, ଚନ୍ଦନ କୁମାର କର, ଶୁଭ୍ରା ପ୍ରହରାଜ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା ବରିଷ୍ଠ ପ୍ରଧାନ ଶିକ୍ଷକ ରଶ୍ମିତ ସାହାଣୀ, ରମେଶ ଚନ୍ଦ୍ର ରାଉଳ, କବିତା ପତି, ସାରଥୀ ଜେନା, କୃପାସିନ୍ଧୁ ପତି, ଗୋଲାପି ସାମଲ, ନିବେଦିତା ମହାନ୍ତି ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅଧ୍ୟାପକ ଡଃ ସଞ୍ଜୟ ହାତୀ, ଝିରପାଣି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମହାପାତ୍ର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ସେକ୍ଟର ୬ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମଟି ଅତି ଶୃଙ୍ଖଳିତ ଭାବେ ସମାପନ ହୋଇଥିବାରୁ ଆବାହକ ସିଆରସିସି ଶ୍ରୀ ସାମଲ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.