jayashree

ଜଙ୍ଗଲ ଅଧିକାର ଆଇନ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସଭାଗୃହ ଠାରେ ଜଙ୍ଗଲ ଅଧିକାର ଆଇନ ସମ୍ପର୍କିତ ଏକ ବୈଠକ ତହସିଲଦାର ଟିକୁନୁ ପୁଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଡ଼ିଓ ଅକ୍ଷୟ ପାଣି ଉଡୁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଧାଂଶୁ ସାହୁ, ଏଫ୍ଇଏସ ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର ଆବାହକ କୁଳମଣି ସାହୁ, ଏଫ୍ଇଏସ ବ୍ଲକ ସଂଯୋଜକ ବିମଳେନ୍ଦୁ ସାହୁଙ୍କ ସମେତ ବିଭିନ୍ନ ରାଜସ୍ୱ ମଣ୍ଡଳର ରାଜସ୍ୱ ନୀରିକ୍ଷକ ମାନେ ଉପସ୍ଥିତ ଥିଲେ । ଜଙ୍ଗଲ ଅଧିକାର ଆଇନ ମୁତାବକ ଲୋଇସିଂହା ବ୍ଲକର ବାକି ରହିଥିବା ଗ୍ରାମ ଗୁଡ଼ିକର ଯୁଗ୍ମ ତଦନ୍ତକୁ ତ୍ୱରାନ୍ୱିତ କରାଯାଇ ଗ୍ରାମସଭା ଜରିଆରେ ଉକ୍ତ ଗାଁ ଗୁଡ଼ିକୁ ଗୋଷ୍ଠୀ ଜଙ୍ଗଲ ଅଧିକାର ପ୍ରକ୍ରିୟାକୁ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଯୁଗ୍ମ ତଦନ୍ତ ସମୟରେ ଗୋଚର, ଜଳଚର ତଥା ଡୁଙ୍ଗୁରି କିସମ ଜମିକୁ ତଦନ୍ତ ପ୍ରକ୍ରିୟାରୁ ବାଦ ଦେବା ସକାଶେ ଜିଲ୍ଲା ସଂଯୋଜକ ଶ୍ରୀ ସାହୁ ଉପସ୍ଥିତ ରାଜସ୍ୱ ନୀରିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିବା ବେଳେ ଆସନ୍ତା ଡ଼ିସେମ୍ବର ମାସରେ ଯୁଗ୍ମ ତଦନ୍ତ ପ୍ରକ୍ରିୟାକୁ ସାରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ । ତେବେ ଆଗତୁରା ସୂଚନା ଦିଆଯିବା ସତ୍ତ୍ୱେ ବୈଠକରେ ଜଙ୍ଗଲ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନ ରହିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା । ପରିଶେଷରେ ତହସିଲଦାର ଟିକୁନୁ ପୁଟା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.