jayashree

ସୁଦାମ ନାଗ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ : ପତ୍ନୀ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳର ସାଲେପାଲି-ଆଇଁଲାସାରୀ ରାସ୍ତାର ପଙ୍କେଲ ଛକ ନିକଟରେ ଗତ ୧୭ ତାରିଖ ସନ୍ଧ୍ୟାରେ ସୁଦାମ ନାଗଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ତ୍ରିଲୋଚନ ଓରଫ୍ ଟିଙ୍କୁ ବାଗ, ଯୁବରାଜ ସାହୁ ଏବଂ ମୃତକଙ୍କ ପତ୍ନୀ କବିତା ନାଗ । ସିନ୍ଥିରେ ସିନ୍ଦୂର ବେକରେ ମଙ୍ଗଳସୂତ୍ର ପିନ୍ଧି ସଧବା ନାରୀ ଟିଏ ତା ସ୍ଵାମୀର ଦୀର୍ଘାୟୁ କାମନା କରିଥାଏ ହେଲେ ମଙ୍ଗଳସୂତ୍ର ବିକ୍ରି କରି ବନ୍ଧୁକ କିଣି ସ୍ଵାମୀର ହତ୍ୟାକାଣ୍ଡ ରଚିବା ଭଳି ଏକ ଦୁଃଖଦ ଓ ହୃଦୟ ବିଦାରକ ଘଟଣାର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଏନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ଏସ୍‌ପି ନାରାୟଣ ନାୟକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କେ. କେ ହରିପ୍ରସାଦ । ପୁଲିସ ତଦନ୍ତରୁ ଜଣାପଡ଼ିଛି, କବିତା ନାଗଙ୍କ ସହିତ ତାଙ୍କ ବ୍ରାହ୍ମଣୀପାଲି ଗ୍ରାମର ଯୁବରାଜ ସାହୁ ଓ ପରେ ନିକଟସ୍ଥ କପାସିରା ଗ୍ରାମର ତ୍ରିଲୋଚନ ବାଗଙ୍କର ପ୍ରାୟ ଦୀର୍ଘ ବର୍ଷ ଧରି ବନ୍ଧୁତା ରହିଥିଲା । ଏହା ଜାଣିବା ପରେ ସୁଦାମ ନାଗ ତ୍ରିଲୋଚନଙ୍କୁ ଘରକୁ ଆସିବାକୁ ବାରଣ କରିବା ସହ ତାଙ୍କ ସ୍ତ୍ରୀଙ୍କୁ ତାଗିଦ ଓ ପିଟାପିଟି କରୁଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ କବିତା । ଏହାକୁ ନେଇ ତିନିଜଣ ମିଶି ସୁଦାମଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ । ଷଡ଼ଯନ୍ତ୍ର ପାଇଁ କବିତା ନାଗ ନିଜର ସୁନା ମଙ୍ଗଳସୂତ୍ର ତ୍ରିଲୋଚନଙ୍କୁ ଦେଇଥିଲେ । ତ୍ରିଲୋଚନ ଏହାକୁ ଜଣେ ବଣିଆଙ୍କ ନିକଟରେ ୪୫ ହଜାର ଟଙ୍କାରେ ବନ୍ଧକ ପକାଇଥିଲେ । ସେହି ଟଙ୍କାରେ ସେ ରାଉରକେଲାର ଜଣେ ବ୍ୟକ୍ତିଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ ଓ ଗୁଳି ପ୍ରାୟ ୬୦ ହଜାର ଟଙ୍କା ଦେଇ କିଣିଥିଲେ । ୪୫ ହଜାର ଟଙ୍କା ନେଇ ସେ ରାଉରକେଲା ଯାଇଥିବାରୁ ପୁଣି ଏଥିପାଇଁ ଫୋନ୍ ପେ ଓ ନଗଦ ଟଙ୍କା ମାଧ୍ୟମରେ ମଧ୍ୟ ଅର୍ଥ ପୈଠ କରାଯାଇଥିଲା । ଘଟଣା ଦିନ ସୁଦାମ ନାଗ ମୋଟରସାଇକେଲ ମରାମତି ପାଇଁ ଡୁଙ୍ଗୁରିପାଲି ସ୍ଥିତ ଏକ ଗ୍ୟାରେଜକୁ ଯାଇଥିଲେ । କବିତା ଫୋନ୍ କରି ତାଙ୍କ ଅବସ୍ଥିତି ବିଷୟରେ ଯୁବରାଜ ସାହୁଙ୍କୁ ଜଣାଉଥିଲେ । କବିତା ହ୍ୱାଟ୍ସଆପ୍ କଲ୍ ମାଧ୍ୟମରେ ଯୁବରାଜଙ୍କୁ ସୂଚନା ଦେଉଥିବା ବେଳେ ସେ ତ୍ରିଲୋଚନଙ୍କୁ ସୂଚନା ଦେଉଥିଲେ । ଏହି ସୂଚନା ଆଧାରରେ ତ୍ରିଲୋଚନ ପାଙ୍କେଲ ଛକ ନିକଟରେ ସୁଦାମଙ୍କୁ ଅଟକାଇ ପ୍ରଥମେ ୨ ରାଉଣ୍ଡ ଗୁଳି କରି ଥିଲେ ତାହା ତାଙ୍କ ଜଂଘ ଓ ପିଠିରେ ବାଜି କିଛି ବାଟ ପରେ ତଳେ ପଡ଼ିଯିବା ପରେ ପାଖରୁ ଆଉ ୨ ରାଉଣ୍ଡ ଗୁଳି ଅତି ନିକଟରୁ ତାଙ୍କ ଛାତି ଓ ମୁଣ୍ଡକୁ ଚଳାଇଥିଲେ । ଘଟଣାସ୍ଥଳରେ ହିଁ ସୁଦାମଙ୍କ ମୃତ୍ୟୁ ହୋଇଥିଲା । ହତ୍ୟା ପରେ ନିଜକୁ ବଞ୍ଚାଇବା ପାଇଁ କବିତା ନାଗ ଥାନାରେ ଅଜଣା ବ୍ୟକ୍ତି ହତ୍ୟା କରିଥିବା ମିଥ୍ୟା ଅଭିଯୋଗ କରିଥିଲେ । ପୁଲିସ ଦେଶୀ ପିସ୍ତଲ, ୪ଟି ଖାଲି ଖୋକା, ୨ଟି ମୋଟରସାଇକେଲ ଓ ୫ଟି ମୋବାଇଲ ଜବତ କରିଛି । ଏନେଇ ଏସପି ଶ୍ରୀ ନାୟକ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.