jayashree

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ଯୋଜନାର ସୁବିଧା ଯୋଗାଇଦେବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ବାଲିଗୁଡ଼ାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଅଞ୍ଚଳର ବହୁ ସଂଖ୍ୟକ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ ସରକାରୀ ସୁବିଧା ପାଇଁ ମୋଟ ୨୪୭ ଜଣଙ୍କ ପଞ୍ଜିକରଣ ହୋଇଥିବା ଜଣାପଡ଼ିଛି । ଏହି ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସହାୟକ ଉପକରଣ ମଧ୍ୟରେ ୧ଟି ଟ୍ରାଇସାଇକେଲ, ୧ଟି କୁନି କ୍ରାଚେ, ୧ଟି ଚକିଆ ଚେୟାର ଓ ୧ଟି ସହାୟକ କ୍ରାଚେ ପ୍ରଦାନ କରାଯାଇଥିଲା । ଏହି ଉପକରଣ ମିଳିବା ଫଳରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଚଳପ୍ରଚଳ ଓ ଦୈନନ୍ଦିନ ଜୀବନ ଅଧିକ ସହଜ ହେବ ବୋଲି ଆଶା ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପ-ଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ବ୍ଲକ୍ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲିକ ଉପସ୍ଥିତ ରହି ଶିବିରର କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଏଥିସହ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ (ବିଏସ୍ଏସ୍ଓ), ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (ଏସ୍ଏସ୍ଏସ୍ଓ) ଏବଂ ବାଲିଗୁଡ଼ା ଉପଖଣ୍ଡ ହସ୍ପିଟାଲର ଚିକିତ୍ସା କର୍ମଚାରୀ ମାନେ ଶିବିରରେ ଯୋଗଦେଇଥିଲେ । ଶିବିରରେ ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ପଞ୍ଜିକରଣ ଓ ସେମାନଙ୍କ ଆବଶ୍ୟକତା ଅନୁଧ୍ୟାନ କରାଯାଇଥିଲା । ସରକାରଙ୍କ ଏଭଳି ଜନକଲ୍ୟାଣମୂଳକ ପଦକ୍ଷେପ ଭିନ୍ନକ୍ଷମଙ୍କ ଜୀବନରେ ନୂଆ ଆଶା ସୃଷ୍ଟି କରିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ କରିବାରେ ସହାୟକ ହେବ ବୋଲି ଉପସ୍ଥିତ ଅଧିକାରୀମାନେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.