
ବଲାଙ୍ଗିର, (କେପିଏନ୍ଏସ୍) : ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହେଲା ବଲାଙ୍ଗିର ଖୁଜେନପାଲିସ୍ଥିତ ବିଶ୍ୱାତ୍ମ ବିଦ୍ୟାମନ୍ଦିର ପରିସର । ପୂଜ୍ୟପାଦ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ସହ ବିଶ୍ୱାତ୍ମ ବିଦ୍ୟାମନ୍ଦିରର ୩୧ତମ ପ୍ରତିଷ୍ଠା ଦିବସ ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି । ଭଜନ, ସଂକୀର୍ତ୍ତନ ଓ ମନ୍ତ୍ରୋଚ୍ଚାରଣରେ ଆରମ୍ଭ ହୋଇଥିଲା ଏହି ପବିତ୍ର ସମାରୋହ । ଦୀପ ପ୍ରଜ୍ୱଳନ, ମାଲ୍ୟାର୍ପଣ ଓ ସ୍ୱାଗତ ସଙ୍ଗୀତ ମାଧ୍ୟମରେ ସଦ୍ଗୁରୁଦେବଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଯାଇଥିଲା । ବିଭିନ୍ନ ସାଧୁସନ୍ଥ ଓ ମହାତ୍ମାଙ୍କ ଉପସ୍ଥିତି ଉତ୍ସବର ଆଧ୍ୟାତ୍ମିକ ଗରିମାକୁ ଆହୁରି ବଢ଼ାଇଥିଲା । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଜ୍ଞାନ, ସଂସ୍କାର ଓ ଆଧ୍ୟାତ୍ମିକ ଜୀବନ ଉପରେ ନିଜର ମତ ରଖିଥିଲେ । ବିଶ୍ୱାତ୍ମ ଚେତନା ପରିଷଦ ପକ୍ଷରୁ ଆୟୋଜିତ ଶ୍ଲୋକ ଆବୃତ୍ତି ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ‘ପ୍ରଜ୍ଞା ପୁରସ୍କାର’ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ପୂଜ୍ୟ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀଜୀ ଉଦ୍ବୋଧନ ଦେଇ ଜୀବନରେ ଜ୍ଞାନ, ସଂସ୍କାର, ସେବା ଓ ଆଧ୍ୟାତ୍ମିକତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପୂଜ୍ୟ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀଜୀ, ପୂଜ୍ୟ ସ୍ୱାମୀ ପରମାନନ୍ଦ ସରସ୍ୱତୀଜୀ, ପୂଜ୍ୟ ସ୍ୱାମୀ ନିତ୍ୟବୁଦ୍ଧାନନ୍ଦଜୀ ମହାରାଜ ଓ ପୂଜ୍ୟ ବାବା ଶ୍ୟାମାନନ୍ଦ ଦାସଜୀଙ୍କ ଉପସ୍ଥିତି ଉତ୍ସବକୁ ଆହୁରି ମଙ୍ଗଳମୟ କରିଥିଲା । ସଦ୍ଗୁରୁଦେବ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜ ଆଶୀର୍ବଚନ ପ୍ରଦାନ କରି ଛାତ୍ରଛାତ୍ରୀ ଓ ଭକ୍ତମାନଙ୍କୁ ଜ୍ଞାନ, ଚରିତ୍ର, ଶୃଙ୍ଖଳା, ସେବା ଓ ସଦାଚାରର ପଥରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହା ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲା । ଶେଷରେ ଶାନ୍ତିପାଠ ଓ ଭଣ୍ଡାରା ସହ ଉତ୍ସବର ସମାପନ ହୋଇଥିଲା । ଗୁରୁଭକ୍ତି, ଆଧ୍ୟାତ୍ମିକ ଚେତନା ଓ ସଂସ୍କାରର ବାର୍ତ୍ତା ଦେଇଥିବା ଏହି ଆୟୋଜନ ବିଶ୍ୱାତ୍ମ ଚେତନା ପରିବାର ପାଇଁ ଏକ ସ୍ମରଣୀୟ ଦିବସ ପାଲଟିଥିଲା ।