
ମାଲକାନଗିରି : ରାତିର ନିରବତା ଭିତରେ ଘଟିଲା ଲୋମହର୍ଷକ ହତ୍ୟାକାଣ୍ଡ । ଘରେ ସମସ୍ତେ ଶୋଇଥିବା ବେଳେ ଏକ ପରିବାର ଉପରେ ହେଲା ଆକ୍ରମଣ । ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ବର୍ଷୀୟ ନାବାଳକ ଗୁରୁତର ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ ଏମ୍ଭି-୩୬ ଗ୍ରାମରେ ଘଟିଛି ଏହି ହୃଦୟବିଦାରକ ଘଟଣା । ମୃତକ ଦମ୍ପତି ହେଉଛନ୍ତି ରମେନ୍ଦ୍ରନାଥ ସରକାର ଓ ରେବା ସରକାର। ସୂଚନା ଅନୁସାରେ, ଗତକାଲି ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ସମୟରେ ଜଣେ ଯୁବକ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଏହାପରେ ଏକ ଧାରୁଆ ଅସ୍ତ୍ରରେ ପରିବାର ସଦସ୍ୟଙ୍କୁ ଆଖିବୁଜା ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡ଼ୋଶୀ ଘରର ଜଣେ ଯୁବକ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ପୁଲିସ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କ’ଣ, ତାହା ପୁଲିସର ସମ୍ପୂର୍ଣ୍ଣ ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ଖେଳିଯାଇଛି।