jayashree

ଆସୁଛି ନୂଆଁଖାଇ : ଛୁଟିରେ ଯୋଗାଣ ସହାୟକ ସଂଘ

  • ହିତାଧିକାରୀଙ୍କୁ ମିଳିବନି ଚାଉଳ, ଫିକା ପଡ଼ିବ ପଶ୍ଚିମ ଓଡ଼ିଶାର ଗଣପର୍ବ

ଦେଓଗାଁ, (ମନୀଷ କୁମାର ସାହୁ) : ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ଗଣପର୍ବ ‘ନୂଆଁଖାଇ’ ପାଇଁ ଚାରିଆଡ଼େ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ ଗ୍ରାମାଞ୍ଚଳର ଗରିବ ହିତାଧିକାରୀଙ୍କ ପାଇଁ ସୃଷ୍ଟି ହୋଇଛି ବଡ଼ ସଂକଟ । ଦେଓଗାଁ ବ୍ଲକ ସମେତ ରାଜ୍ୟର ସମସ୍ତ ଯୋଗାଣ ସହାୟକ ସ୍ଥାୟୀ ନିଯୁକ୍ତି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଚାଲି ଯାଇଥିବାରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡ଼ିଛି । ଫଳରେ ନୂଆଁଖାଇ ପୂର୍ବରୁ ସରକାରୀ ଚାଉଳ ନ ପାଇ ନିରାଶ ହେଉଛନ୍ତି ହଜାର ହଜାର ଗରିବ ପରିବାର । ସୂଚନାଯୋଗ୍ୟ ଯେ, ସ୍ଥାୟୀ ନିଯୁକ୍ତି ସହ ଅନ୍ୟାନ୍ୟ ସେବା ସର୍ତ୍ତାବଳୀ ପୂରଣ ଦାବିରେ ରାଜ୍ୟ ଯୋଗାଣ ସହାୟକ ସଂଘର ଡାକରା କ୍ରମେ ଗତ ୨ ତାରିଖରୁ ଦେଓଗାଁ ବ୍ଲକର ସମସ୍ତ ଯୋଗାଣ ସହାୟକ ସମୂହ ଛୁଟିରେ ଅଛନ୍ତି । ସମସ୍ତ କର୍ମଚାରୀ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି । ଦୀର୍ଘ ବର୍ଷ ଧରି ସ୍ୱଳ୍ପ ପାରିଶ୍ରମିକରେ ସେବା ଯୋଗାଇ ଆସୁଥିଲେ ହେଁ ସରକାର ସେମାନଙ୍କ ଦାବି ପ୍ରତି କୌଣସି କର୍ଣ୍ଣପାତ କରୁନଥିବାରୁ ସେମାନେ ରାଜପଥକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ଅନ୍ୟପକ୍ଷରେ, ନୂଆଁଖାଇ ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାଉଳ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ମାତ୍ର ବ୍ଲକର ପ୍ରତ୍ୟେକ ପଞ୍ଚାୟତର ଯୋଗାଣ ସହାୟକମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଚାଉଳ ଉଠାଣ ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପଞ୍ଚାୟତ ଗୋଦାମଗୁଡ଼ିକରେ ତାଲା ଝୁଲୁଥିବାରୁ ଦୈନନ୍ଦିନ ହଜାର ହଜାର ହିତାଧିକାରୀ ଚାଉଳ ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି । ନୂଆଁଖାଇ ପରି ଏକ ଗଣପର୍ବ ସମୟରେ ଘରେ ଚାଉଳ ନପହଞ୍ଚିବା ଗରିବ ପରିବାରଗୁଡ଼ିକ ପାଇଁ ଚିନ୍ତାର କାରଣ ପାଲଟିଛି । ଯଦି ଆସନ୍ତା ଦିନ କେଇଟା ମଧ୍ୟରେ ଚାଉଳ ନମିଳେ, ତେବେ ଗଣପର୍ବ ଫିକା ପଡ଼ିବା ନିଶ୍ଚିତ । ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ କରି ବିକଳ୍ପ ବ୍ୟବସ୍ଥା ଜରିଆରେ ଚାଉଳ ବଣ୍ଟନ କରିବାକୁ ସାଧାରଣରେ ଦାବି ହେଉଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଦେଓଗାଁ ବ୍ଲକ ଯୋଗାଣ ସହାୟକ ଅମୂଲ୍ୟ ବାରିକ, ଗୁଣନିଧି ସାମଲ, ରବିଚନ୍ଦ୍ର ମେହେର, ସୀମାଞ୍ଚଳ ପଧାନଙ୍କ ସମେତ ସମସ୍ତ କର୍ମକର୍ତ୍ତା ଦୃଢ଼ ଚେତାବନୀ ଦେଇଛନ୍ତି । ସରକାରୀ ସ୍ତରରେ ତୁରନ୍ତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.