
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସିନିୟର ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ରୋମାଞ୍ଚକର ମୁକାବିଲା । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ରିଜର୍ଭ ପୋଲିସକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲ ଟିକେଟ୍ ହାସଲ କରିଛି ନକଟାସର । ମ୍ୟାଚ୍ରେ ନକଟାସର ପକ୍ଷରୁ ବିକାଶ ଧରୁଆ ଦମଦାର ପ୍ରଦର୍ଶନ କରି ଦୁଇଟି ଗୋଲ୍ ସ୍କୋର କରିଥିଲେ । ତାଙ୍କର ଏହି ଦୁଇଟି ଗୋଲ୍ ଦଳକୁ ଫାଇନାଲରେ ପହଞ୍ଚାଇବାରେ ନିର୍ଣ୍ଣାୟକ ହୋଇଥିଲା । ମ୍ୟାଚ୍ରେ ଓଡ଼ିଶା କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ଯୁଗ୍ମ ସମ୍ପାଦକ ଶତୃଘନ ସିଂ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ଆର୍.ଏନ୍. ସିଂଦେଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ଗୁଲମିକୁ ୩-୨ ଗୋଲରେ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ବାଦିବାହାଲ । ବାଦିବାହାଲ ପକ୍ଷରୁ ସମ୍ବିତ ନାଏକ ଦୁଇଟି ଏବଂ ଶିବ ନାଏକ ଗୋଟିଏ ଗୋଲ୍ ଦେଇଥିଲେ । ଅନ୍ୟପଟେ ଗୁଲମି ପକ୍ଷରୁ ନରେଶ ବନଛୋର ଓ ନୃପ ବରିହା ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ଏହି ମ୍ୟାଚ୍ରେ ଜିଲ୍ଲା କ୍ରୀଡ଼ା ସଂସଦର ଫୁଟବଲ୍ କୋଚ୍ ପରାଶର ବାଗ, ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ ଓ ଭରତ ଡାଙ୍ଗ ଅତିଥି ଭାବେ ଯୋଗଦେଇଥିଲେ । ଏବେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲକୁ ନେଇ ବଢ଼ିଛି ଉତ୍ସାହ । ଶୁକ୍ରବାର ଗାନ୍ଧୀ ଷ୍ଟାଡିୟମରେ ବିକେସି ୟୁନାଇଟେଡ୍ ଓ ବାଦିବାହାଲ ମଧ୍ୟରେ ହେବ ଦ୍ୱିତୀୟ ସେମିଫାଇନାଲ ମୁକାବିଲା । ଏହି ମ୍ୟାଚ୍ର ବିଜେତା ଫାଇନାଲରେ ନକଟାସରକୁ ଭେଟିବ । ତେଣୁ ଫାଇନାଲ ଟିକେଟ୍ ପାଇଁ ଏବେ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ଲଢ଼େଇ ।