
ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରୀ କାର୍ଯ୍ୟାଳୟରେ ଅଭିଯୋଗକୁ ନେଇ ତୁମୁଳ କାଣ୍ଡ । ଅଭିଯୋଗକାରୀ ଓ ବିଡିଓଙ୍କ ମଧ୍ୟରେ ମାଡ଼ପିଟ୍ ଅଭିଯୋଗକୁ ନେଇ ପାଇକମାଲ ଅଞ୍ଚଳରେ ଚାଞ୍ଚଲ୍ୟ । ଘଟଣାକୁ ନେଇ ଉଭୟ ପକ୍ଷ ପାଇକମାଲ ଥାନାରେ ଏତଲା ଦେଇଥିବାବେଳେ ପୁଲିସ ଦୁଇଟି ପୃଥକ୍ ମାମଲା ରୁଜୁ କରିଛି । ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଲକ କାର୍ଯ୍ୟାଳୟକୁ ସୋମବାର ସକାଳେ ଜର୍ଜଗଡ଼ ଗ୍ରାମର ଗୌରାଙ୍ଗଚରଣ ଦାସ ଯାଇଥିଲେ । ବ୍ଲକ କାର୍ଯ୍ୟାଳୟରେ ପ୍ରକ୍ସି କର୍ମଚାରୀ କାର୍ଯ୍ୟ କରୁଥିବା ଏବଂ ଏହାଦ୍ୱାରା ସରକାରୀ ରାଜକୋଷର କ୍ଷତି ହେଉଥିବା ଅଭିଯୋଗ ନେଇ ସେ ବିଡିଓ ପ୍ରଫୁଲ୍ଲ କୁମାର ଓଦୁଙ୍କୁ ଲିଖିତ ଅଭିଯୋଗପତ୍ର ଦେବାକୁ ଯାଇଥିଲେ । ଅଭିଯୋଗପତ୍ର ପ୍ରଦାନ ପରେ ବିଡିଓ ଓ ଗୌରାଙ୍ଗଚରଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ବିଡିଓ ତାଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଗୌରାଙ୍ଗଚରଣ ଅଭିଯୋଗ କରିଛନ୍ତି । ଏନେଇ ସେ ପାଇକମାଲ ଥାନାରେ ଏତଲା ଦେବା ପରେ ପୁଲିସ କେସ୍ ନମ୍ବର ୨୭୮/୨୦୨୬ରେ ବିଡିଓଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ, ଗୌରାଙ୍ଗଚରଣ ଦାସ ତାଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ନେଇ ବିଡିଓ ପ୍ରଫୁଲ୍ଲ କୁମାର ଓଦୁ ମଧ୍ୟ ପାଇକମାଲ ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ଏହାକୁ ଆଧାର କରି ପୁଲିସ କେସ୍ ନମ୍ବର ୨୭୯/୨୦୨୬ରେ ଆଉ ଏକ ମାମଲା ରୁଜୁ କରିଛି । ତେବେ ଏହି ଘଟଣାରେ କିଏ କାହାକୁ ମାଡ଼ ମାରିଛି ଏବଂ ପ୍ରକୃତରେ କ’ଣ ଘଟିଥିଲା, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।