pakka

ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ମିଶନ ଶକ୍ତି ହଲ୍‌ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ୯୨ଜଣ ବ୍ୟକ୍ତି ଅଭିଯୋଗ କରିବା ପାଇଁ ପଞ୍ଜିକୃତ କରିଥିଲେ । ତନ୍ମଧ୍ୟରୁ ୮୪ ଜଣ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ତନ୍ମଧ୍ୟରୁ ୮୩ଟି ବ୍ୟକ୍ତିଗତ ଅଭିଯୋଗ କରିଥିବା ବେଳେ ଗୋଟିଏ ସାମୁହିକ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଶୁଣାଣି ଶିବିରରେ ସ୍ୱାସ୍ଥ୍ୟ ସମସ୍ୟା, ଭତ୍ତା ସମସ୍ୟା, ରାସ୍ତାଘାଟ ସମସ୍ୟା, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ, ରେଡକ୍ରସ୍‌ ଉପରେ ଲୋକେ ଅଭିଯୋଗ କରିଥିଲେ । ଗତ କିଛି ଦିନ ତଳେ ଡ଼ଭା ଗ୍ରାମ ପଞ୍ଚାୟତର ହରିଡାଟାଲ ଗ୍ରାମରେ ଆରଡବ୍ଲୁଏସଏସର ପମ୍ପ ହାଉସ ଭୁଶୁଡି ପଡ଼ିବା ଘଟଣା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଆରଡବ୍ଲୁଏସଏସର ଜେଇ ଅନିରୁଦ୍ଧ ପ୍ରଧାନଙ୍କୁ ଏବଂ ଠିକାଦାରଙ୍କ ଉପରକୁ ବର୍ଷିଥିଲେ । ଜନସାଧାରଣଙ୍କ ସୁବିଧା ପାଇଁ ସରକାର ସୁବ୍ୟବସ୍ଥା ସହ ଯୋଜନା କରିଛନ୍ତି ହେଲେ ଜନସାଧାରଣଙ୍କ ସମ୍ପତ୍ତିକୁ ଆପଣମାନେ କାହିଁକି ବାଟମାରଣା କରୁଛନ୍ତି ବୋଲି ତାଗିତ କରିଥିଲେ ଏବଂ ଏକଜେକ୍ୟୁଟିଭି ଇଂଜିନିୟର ତଦନ୍ତ ଆରମ୍ଭ କରିଛନ୍ତି ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏମଆଇପି ବିଭାଗର କାମମାନଙ୍କରେ ମଧ୍ୟ ନିମ୍ନମାନର କାମ କରି କୋଟି କୋଟି ଟଙ୍କାର ଦୁର୍ନୀତି କରି ସରକାରୀ ଯୋଜନା ବାଟମାରଣା ହେଉଥିବାର ଅଭିଯୋଗ ହୋଇଥିଲା । ଗଣ୍ଡପରା ଗ୍ରାମର ରାଜେନ୍ଦ୍ର ସାହୁଙ୍କ ୩୦,୦୦୦ ଟଙ୍କା ଝାରବନ୍ଧ ଏସଡିସିସି ହେର୍‌ଫେର୍‌ ହୋଇଥିବାର ଅଭିଯୋଗ ହୋଇଛି । ଉକ୍ତ ଘଟଣାକୁ ଝାରବନ୍ଧ ପୋଲିସ ତଦନ୍ତ ଆରମ୍ଭ କରୁଛି ବୋଲି ସୂଚନା ରହିଛି । ଝାରବନ୍ଧ ବ୍ଲକ ମୁଖ୍ୟାଳୟରେ ମହିଳାମାନଙ୍କ ପାଇଁ ଶୌଚାଳୟ ନିର୍ମାଣ ତଥା ସୁବ୍ୟବସ୍ଥା କରିବା ପାଇଁ ମଧ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ମହିଳାମାନଙ୍କ ସୁବିଧା ପାଇଁ ଝାରବନ୍ଧ ବ୍ଲକ ମୁଖ୍ୟାଳୟରେ ଶୌଚାଳୟ ନିର୍ମାଣ କରିବା ପାଇଁ ଝାରବନ୍ଧ ବିଡ଼ିଓଙ୍କୁ ଜିଲ୍ଲାପାଳ ଆଦେଶ ଦେଇଥିଲେ । ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ସହିତ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା, ବରଗଡ଼ ପିଡ଼ି ଆଦିତ୍ୟ ଗୋଏଲ, ପଦ୍ମପୁର ଉପଜିଲ୍ଲାପାଳ ଶ୍ରଦ୍ଧାକର କୁମ୍ଭାର, ଝାରବନ୍ଧ ବିଡ଼ିଓ ରାମକୃଷ୍ଣ ମିଶ୍ର, ଝାରବନ୍ଧ ଏବିଡ଼ିଓ ଭୀଷ୍ମଦେବ ମାଝୀ ଅଭିଯୋଗ ଶୁଣାଣି କରିଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ ଝାରବନ୍ଧ ବ୍ଲକର ସମସ୍ତ ବିଭାଗ ତଥା ବ୍ୟାଙ୍କ, ଥାନାର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣି ଶିବିରକୁ ଆସିଥିବା ଜଟେସିରା ଗ୍ରାମର ଭାଗ୍ୟବତୀ ସତନାମୀ ଓ ଯଜ୍ଞ ସତନାମୀଙ୍କୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା । ବ୍ଲକ ପ୍ରଶାସନ ତରଫରୁ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିବା ଜନସାଧାରଣଙ୍କ ପାଇଁ ଟେଣ୍ଟ ଚୌକି ସହ ଖାଦ୍ୟପେୟର ସୁବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

5 × one =