ସରକାରୀ ଯୋଜନା ସାତ ସପନ ଆଦିବାସୀପଡା ଗ୍ରାମବାସୀଙ୍କ ପାଇଁ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିବ କେବେ ?

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ସମରା (ଆଦିବାସୀପଡା) ଗ୍ରାମବାସୀଙ୍କ ପାଇଁ ଏବେ ସରକାରୀ ଯୋଜନା ସାତ ସପନ ପାଲଟି ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। । ଅଯୋଧ୍ୟା ଦେବଗୁରୁ(୬୫)। ଖୁବ୍‌ ଦୁର୍ବିସହ ଜୀବନ ବଞ୍ଚୁଛନ୍ତି । ଜୀବନ କାଳ ମଧ୍ୟରେ ଏତେ ଦୁଃଖ ଦୁର୍ଦ୍ଦଶା ଭୋଗି ଆସୁଥିବା ବେଳେ ବୟସର ଶେଷାର୍ଦ୍ଧରେ ମଧ୍ୟ ସରକାରୀ ଯୋଜନା ତାଙ୍କ ଠାରୁ ବହୁ ଦୂରରେ । ଯୋଜନାକୁ କାର୍ୟ୍ୟକାରୀ କରୁଥିବା ସରକାରୀ ବାବୁମାନଙ୍କ ପାଇଁ ସେ ଉପହାସ ପାଲଟି ଯାଇଛନ୍ତି ।

ଅଯୋଧ୍ୟା ଏତେ ବୟସ ହୋଇଥିଲେ ବି ନିଜେ ସରକାରୀ ଯୋଜନାରେ ସାମିଲ ହେବାର ଅଶା ଛାଡି ନାହାନ୍ତି । ସେ କୁହନ୍ତି ଅନେକ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳୁଛି । ମୋତେ କାହିଁକି ନୁହେଁ । ମୋତେ ଓ ମୋର ଘର ସ୍ଥିତି ସରକାର ଦେଖନ୍ତୁ, ତା ପରେ ମୋତେ ଘର ଖଣ୍ଡିଏ ଦେବେ । ଘରକୁ ପଲିଥିନ୍‍ରେ ଢାଙ୍କିଛି । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦିନ ହେଲା ଆମ ଗ୍ରାମକୁ ଟିଏ ଆସିଲେ ମୋର ଦୁଃଖ ଜଣାଉଛି, ହେଲେ ଶୁଣିବ କିଏ ? ଭତ୍ତା ଖଣ୍ଡିଏ ମଧ୍ୟ ମିଳି ପାରି ନାହିଁ ।ଦୀର୍ଘ ୫ ବର୍ଷ ହେଲାଣି ପାରାଲେସିସ୍‌ ରୋଗର ଶିକାର ହେବା ପରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ । ଆମେ ଆଦିବାସୀ ଲୋକ । କିଛି ଗଛ ସଂଗ୍ରହ କରି ମହାଲକ୍ଷ୍ମୀଙ୍କ ମୂର୍ତ୍ତି ତିଆରି କରିବା ସହ ଭିକ୍ଷା ବୃତ୍‌ତ୍ତି କରି ମୋର ପୁଅମାନେ ଘର ଚଳାଉଛନ୍ତି । ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ସମସ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ ନା ସବୁକିଛି ଦେଖି ନ ଦେଖିଲା ପରି ଅଭିନୟ କରୁଛନ୍ତି ବୋଲି ପ୍ରଶ୍ନ କରନ୍ତି । ବାର୍ଦ୍ଧକ୍ୟ ପୀଡା ତାଙ୍କୁ ଯେତିକି କଷ୍ଟ ଦେଉଛି, ତା ଠାରୁ ଢେର ଅଧିକା ନେତା ଓ ବାବୁଙ୍କମାନଙ୍କ ଠାରୁ ପାଉଥିବା ନୈରାଶ୍ୟ ଯନ୍ତ୍ରଣାରେ ଅଧିକ ଛଟପଟ ହେଉଛନ୍ତି ।

ପରିବାର କହିଲେ ତାଙ୍କ ଦିନ ମଜୁରିଆ ଦୁଇ ପୁଅ, ବୋହୂ ସାଙ୍ଗକୁ ନାତିମାନେ। । ଦିନ ମଜୁରୀ କରି ପୁଅବୋହୂ କଷ୍ଟରେ ପରିବାର ଚଳାଉଛନ୍ତି । ତେବେ ଆମକୁ କିଛି ସାହାଯ୍ୟ କରନ୍ତୁ ବାବୁ ବୋଲି କୋହଭରା କଣ୍ଠରେ ଦୁଃଖ ଜଣାଇଛନ୍ତି ।

ଠିକ ସେହିଭଳି ଗାଁର କୁନ୍ତଳା ରଣାଙ୍କ ପାଇଁ ମଧ୍ୟ ସରକାରୀ ଆବାସ ଯୋଜନାର ସ୍ୱପ୍ନ ବହୁତ ଦୂର । ତାଙ୍କ ଆଉ ସାହା ଭରସା ନାହିିଁ। ସ୍ୱାମୀ କିଛି ବ୍ୟବସାୟ କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । କରୋନା କାଳରେ କାମଧନ୍ଦା ଅଭାବ ଯୋଗୁଁ ଅର୍ଥର ଅନାଟନରେ ଭୋକରେ ଦିନ କାଟିବାକୁ ପଡେ ବୋଲି କୁହନ୍ତି କୁନ୍ତଳା । ତେବେ ପୋଲିଥିନ ତଳେ ଜୀବନ ବିତାଉଛନ୍ତି କୁନ୍ତଳାଙ୍କ ପରିବାର ଲୋକେ । ଘର ଖଣ୍ଡିକ ପାଇଁ ଭୋଟ ସମୟରେ ଅନେକ ରାଜନେତା ଆସି ପ୍ରତିଶ୍ରୁତି ଦେଇଥିଲେ ତୁମକୁ ଘର ମିଳିବ ବୋଲି । ହେଲେ ଘର ମିଳିବା ତ ଦୂରର କଥା, ଏହି ଆଦିବାସୀପଡାକୁ ନେତାଙ୍କ ପାଦ ପଡିବା ସାତ ସପନ ପାଲଟିଛି । ଏହି ବସ୍ତିରେ ଜଣେ କି ଦୁଇ ଜଣ ନୁହେଁ, ବରଂ ବସ୍ତିର ବାସିନ୍ଦା ଜୟନ୍ତୀ ରଣା, ରାଜେନ୍ଦ୍ର ଦେବଗୁରୁ ଭଳି ଅନେକ ଲୋକ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ।

ଅନ୍ୟପକ୍ଷରେ ଏହି ପଡା ପାଇଁ ପାଦ ଚଲା ଭଲ ରାସ୍ତା ଖଣ୍ଡିଏ ନ ଥିବା ବେଳେ ବର୍ଷା ଦିନ ଆସିଲେ, ସେ କଥା ନ କହିଲେ ଭଲ । ଏନେଇ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ଘର ଦେବାର ମୋର ହାତରେ ନାହିଁ । କିଛି ସମସ୍ୟା ଅଛି ଯଦି, ସମାଧାନ ପାଇଁ ଚେଷ୍ଟା କରିବି ବୋଲି ପ୍ରକାଶ କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.