
ନୟାଗଡ, (କେପିଏନ୍ଏସ୍) : ନୟାଗଡ ଜିଲ୍ଲା ସଦର ମହକୁମାରେ ମେଡିକାଲ ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ସାଧାରଣରେ ଦାବି ଜୋର ଧରିଥିବା ବେଳେ ଏ ପରିପ୍ରେକ୍ଷୀରେ ଖଣ୍ଡପଡ଼ା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ନୟାଗଡ ଜିଲ୍ଲା ମେଡିକାଲ ମହାବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟିର ଆବାହକ ଗୋଦାବରୀ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ସମାବେଶରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଅଖିଳ ମହାରଣା, ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ କୁମାର ଖଟେଇ, ବିଜେପି ନେତା ସନ୍ତୋଷ କୁମାର ପ୍ରଧାନ, ସଂଗଠକ ଶରତ ସାହୁ, ଅବିନାଶ ସାହୁ, ଧୀରେନ୍ଦ୍ର ପଟ୍ଟନାୟକ, ଗଙ୍ଗାଧର ପଣ୍ଡା, ଭାଗିରଥି ସାହୁ, ଶିଶୁକବି କାଶିନାଥ ଦାସ, ଚିତ୍ତରଞ୍ଜନ ମିଶ୍ର, ଯୁବ ସଂଗଠକ ମନୋରଞ୍ଜନ ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବି ଯୋଗଦେଇ ନୟାଗଡ ଜିଲ୍ଲା ସଦର ମହକୁମାରେ ମେଡିକାଲ ମହାବିଦ୍ୟାଳୟ ସ୍ଥାପନ ଦାବି ଯଥାର୍ଥ ବୋଲି ମତ ଦେବା ସହ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ଧ୍ୟାନ ଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ନୟାଗଡ ଜିଲ୍ଲାର ମଧ୍ୟ ଭାଗରେ ମେଡିକାଲ ମହାବିଦ୍ୟାଳୟଟି ପ୍ରତିଷ୍ଠା ହେଲେ ସମଗ୍ର ଜିଲ୍ଲାବାସୀ ଉପକୃତ ହେବା ସହ ଆଖପାଖ ବୌଦ୍ଧ, ଅବିଭକ୍ତ କଟକ ଜିଲ୍ଲାର ଜନସାଧାରଣ ମଧ୍ୟ ଉପକୃତ ହୋଇପାରନ୍ତେ ବୋଲି ସମାବେଶରେ ମତ ପ୍ରକାଶ ପାଇଥିଲା । ତେଣୁ ନୟାଗଡ ଜିଲ୍ଲାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନକୁ ଦୃଷ୍ଟିରେ ରଖି ନୟାଗଡ ସଦର ମହକୁମାରେ ମେଡିକାଲ ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିର ଯଥାର୍ତତା ରହିଛି ବୋଲି ଖଣ୍ଡପଡ଼ା ଅଞ୍ଚଳର ବହୁ ବରିଷ୍ଠ ନାଗରିକମାନେ ମତ ରଖିଥିଲେ । ରାଜ୍ୟ ସରକାର ଏଥିପ୍ରତି ଅଣଦେଖା କଲେ ଆଗାମୀ ଦିନରେ ସମଗ୍ର ନୟାଗଡ ଜିଲ୍ଲାବାସୀ ଆନ୍ଦୋଳନାତ୍ମକ ପନ୍ଥା ସ୍ୱରୂପ ରାଜରାସ୍ତାକୁ ଓହ୍ଲାଇ ହରତାଳ କରିବେ ବୋଲି ଚେତାବନୀ ଦେଇଛନ୍ତି ।