ପୋଖରୀରେ ବୁଡି ମୃତ୍ୟୁବରଣ କରିବା ଘଟଣା : ଗୋଟିଏ ଜୁଇରେ ଜଳିଲା ପିଉସୀ-ଝିଆରୀଙ୍କ ପାର୍ଥିବ ଶରୀର

କଳାହାଣ୍ଡି, (ପି.କେ.ସାହୁ) : ପୋଖରୀକୁ ଗାଧୋଇବାକୁ ଆସି ପାଣିରେ ବୁଡି ଯାଇ ଅକାଳରେ ସ୍ୱର୍ଗପଥର ଯାତ୍ରୀ ହୋଇଥିବା ଦୁଇ ପିଉସୀ-ଝିଆରୀଙ୍କ ପାର୍ଥିବ ଶରୀର ଶବ ବ୍ୟବଚ୍ଛେଦ ପରେ ଗାଁକୁ ଆଣିବା ପରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତକାଲି ଠାରୁ ଦୁଇ ଝିଅକୁ ହରାଇ ବାହୁନି କାନ୍ଦୁଥିବା ଛତ୍ରିଆ ପରିବାରରେ ଦେଖାଦେଇଛି ଅକାଳ ଚଡକ । ପିଉସୀ ଅଷ୍ଟମୀ(୧୮) ସମେତ ନାତୁଣୀ ସିମରନ(୧୨)କୁ ଏବେ ବି ସତେକି ଖୋଜି ବସୁଛନ୍ତି ତାଙ୍କ ପିତାମାତାମାନେ । ସବୁବେଳେ ହସହସ ମୁହଁ, ମେଳାପୀ ଏଇ ଦୁଇ ଝିଅଙ୍କୁ କେବଳ ତାଙ୍କ ପରିବାର ନୁହଁ, ସାରା ଗ୍ରାମବାସୀ ଓ ସମ୍ପର୍କିୟ ମାନେ ମନେପକାଇ ଆଖିରୁ ଲୁହ ଗଡାଉ ଥିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ ।

ଗତକାଲି କର୍ଲାମୁଣ୍ଡା ବ୍ଳକ ରିଷିଡା ଫାଣ୍ଡି ଅର୍ନ୍ତଗତ ଶିରାବାହାଲ ଗ୍ରାମର ସୀତାରାମ ଛତ୍ରିଆଙ୍କ ଝିଅ ଅଷ୍ଟମୀ ଓ ତାଙ୍କ ନାତୁଣୀ (ବଡପୁଅ ସନ୍ତୋଷର ଝିଅ) ସିମରନ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ସେମାନଙ୍କ ମୃତ ଦେହକୁ ପୋଖରୀରୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ମ.ରାମପୁର ଡାକ୍ତରଖାନାକୁ ପଠାଇଥିଲା । ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନ ଥିଲା । ଆଜି ପୂର୍ବାହ୍ନରେ ଶବ ବ୍ୟବଚ୍ଛେଦ ପରେ ପୁଲିିସ ଉକ୍ତ ପରିବାରକୁ ଶବ ହସ୍ତାନ୍ତର କରିଥିଲେ ।

ତେବେ ଅପରାହ୍ନରେ ଶବ ଗାଁରେ ପହଂଚିବା ପରେ ହୃଦୟ ବିଦାରକ ଥିଲା ଗ୍ରାମ ପରିବେଶ । ଗୋଟିଏ ଜୁଇରେ ପିଉସୀ-ଝିଆରୀଙ୍କ ଶବ ଦାହ କରାଯାଇଥିଲା । ଅଷ୍ଟମୀର ବାପା ସୀତାରାମ ଓ ସିମରନ ର ବାପା ସନ୍ତୋଷ ମୁଖାଗ୍ନି ଦେଇଥିଲେ । ଶୋକାକୁଳ ପରିବେଶ ମଧ୍ୟରେ ଶବଦାହ କରାଯାଇଥିଲା । ପ୍ରକାଶଥାଉକି ଅଷ୍ଟମୀ ଯୁକ୍ତ ତିନି ରେ ଅଧ୍ୟୟନ କରୁଥିବା ବେଳେ ସିମରନ ଷଷ୍ଠ ଶ୍ରେଣୀ ପଢୁଥଲେ । ମୃତକ ଙ୍କ ପରିବାରକୁ ସରକାର ସହାୟତା ପ୍ରଦାନ କରିବାକୁ ଅଚଂଳବାସୀ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.