
- ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ’ ଏବଂ ‘ଏସିଆ ବୁକ୍ ଅଫ୍ ରେକର୍ଡସ’ର ପୁନର୍ବାର ସ୍ୱୀକୃତି ପ୍ରାପ୍ତ
ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି), ଓଡ଼ିଶା ପରୀକ୍ଷା ପରିଚାଳନା କ୍ଷେତ୍ରରେ ‘କାଗଜ-କଲମ ପରୀକ୍ଷା ଫଳାଫଳର ଦ୍ରୁତତମ ପ୍ରକାଶନ’ ପାଇଁ ନିଜର ପୂର୍ବ ରେକର୍ଡକୁ ଉନ୍ନତ କରି ପୁନର୍ବାର ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ’ ତଥା ‘ଏସିଆ ବୁକ୍ ଅଫ୍ ରେକର୍ଡସ’ ଠାରୁ ସ୍ୱୀକୃତି ଲାଭ କରିଛି । ବିପିୟୁଟି ଏହି ସଫଳତା ୨୦୨୫-୨୬ ଶିକ୍ଷାବର୍ଷର ଯୁଗ୍ମ ସେମିଷ୍ଟାର ପରୀକ୍ଷା ପାଇଁ ହାସଲ କରିଛି, ଯେଉଁଥିରେ ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ପରୀକ୍ଷା ଫଳାଫଳ ପ୍ରକାଶ କରିଥିଲା । ଏହାଦ୍ୱାରା ପୂର୍ବରୁ ୨୦୨୫-୨୬ ଅଯୁଗ୍ମ ସେମିଷ୍ଟାର ପର୍ଯ୍ୟାୟ-୨ ପରୀକ୍ଷାରେ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ’ ତଥା ‘ଏସିଆ ବୁକ୍ ଅଫ୍ ରେକର୍ଡସ’ ଦ୍ୱାରା ସ୍ୱୀକୃତିପ୍ରାପ୍ତ ରେକର୍ଡକୁ ପୁନରାବୃତ୍ତି କରିବା ସହ ଆହୁରି ଉନ୍ନତ କରି ପାରିଛି । ବି.ଟେକ୍, ବି.ଆର୍କ, ବି.ଫାର୍ମ, ବିସିଏ, ବିବିଏ, ଏମ.ଏସସି., ଏମ.ଟେକ୍, ଏମ.ଆର୍କ, ଏମବିଏ ଏବଂ ଏମସିଏ ପାଠ୍ୟକ୍ରମଗୁଡ଼ିକର ଯୁଗ୍ମ ସେମିଷ୍ଟାର ପରୀକ୍ଷା ଏପ୍ରିଲ ୨୯, ୨୦୨୬ରୁ ଆରମ୍ଭ ହୋଇ ଜୁନ ୮, ୨୦୨୬ରେ ସମାପ୍ତ ହୋଇଥିଲା ଏବଂ ଜୁନ ୧୦, ୨୦୨୬ରେ ଔପଚାରିକ ଭାବେ ଫଳାଫଳ ଘୋଷଣା କରାଯାଇଥିଲା । ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଅନୁବନ୍ଧିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅନୁଷ୍ଠିତ ଏହି ପରୀକ୍ଷାରେ ମୋଟ ୯୩,୩୬୨ ଜଣ ଛାତ୍ରଛାତ୍ରୀ ଅବତୀର୍ଣ୍ଣ ହୋଇଥିଲେ । ରାଜ୍ୟର ୫୨ଟି ନିର୍ଦ୍ଧାରିତ ନୋଡାଲ୍ ସେଣ୍ଟର ଜରିଆରେ ୧,୫୪୧ ଜଣ ପଞ୍ଜୀକୃତ ଅଧ୍ୟାପକ ଅଧ୍ୟାପିକାଙ୍କ ଦ୍ୱାରା ସର୍ବମୋଟ ୫,୦୯,୫୧୫ଟି ଉତ୍ତର ଖାତାର ଡିଜିଟାଲ୍ ମୂଲ୍ୟାୟନ କରାଯାଇଥିଲା । ଏହି ଉଲ୍ଲେଖନୀୟ ସଫଳତାକୁ ପରବର୍ତ୍ତୀ ସମୟରେ ଅଗଷ୍ଟ ୭, ୨୦୨୬ରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡସ ଦ୍ୱାରା ଅନୁମୋଦନ କରାଯାଇଥିଲା । ଏହି ନୂତନ ସ୍ୱୀକୃତି କେବଳ ରେକର୍ଡ ହାସଲ କରିବା ନୁହେଁ, ବରଂ ବୃହତ ପରୀକ୍ଷା ପରିଚାଳନାରେ ନିଜର ଦକ୍ଷତାକୁ ପୁନରାବୃତ୍ତି କରିବା ସହ ଅଧିକ ସୁଦୃଢ଼ କରିବାର ବିପିୟୁଟିର ସାମର୍ଥ୍ୟକୁ ପ୍ରମାଣିତ କରୁଛି । ଏହି ସଫଳତା ବିପିୟୁଟିର ପ୍ରଯୁକ୍ତିବିଦ୍ୟା ଭିତ୍ତିକ ପରୀକ୍ଷା ପରିଚାଳନା ତଥା ଡିଜିଟାଲ୍ ମୂଲ୍ୟାୟନ ବ୍ୟବସ୍ଥାର ଦକ୍ଷତାକୁ ପ୍ରତିଫଳିତ କରୁଛି, ଯାହା ଉତ୍ତର ଖାତାର ଡିଜିଟାଲ୍ ପ୍ରକ୍ରିୟାକରଣ ଓ ମୂଲ୍ୟାୟନ, ନିର୍ଦ୍ଦିଷ୍ଟ ନୋଡାଲ୍ ସେଣ୍ଟରଗୁଡ଼ିକ ମାଧ୍ୟମରେ ବିକେନ୍ଦ୍ରୀକୃତ ମୂଲ୍ୟାୟନ ଏବଂ ବିଶ୍ୱବିଦ୍ୟାଳୟର ପରୀକ୍ଷା ବିଭାଗ ଦ୍ୱାରା ସମନ୍ୱିତ ତଦାରଖ ଦ୍ୱାରା ସମ୍ଭବ ହୋଇପାରିଛି । ପ୍ରତ୍ୟେକ ପରୀକ୍ଷା ଶେଷ ହେବା ମାତ୍ରେ ସେହି ଦିନ ହିଁ ଓଡ଼ିଶାର ୧୩ଟି ନୋଡାଲ୍ କେନ୍ଦ୍ରରେ ଉତ୍ତର ଖାତାଗୁଡ଼ିକୁ ସଂଗ୍ରହ କରାଯାଇ ପରଦିନ ସୁରକ୍ଷିତ ଭାବେ ରାଉରକେଲାସ୍ଥିତ ବିପିୟୁଟି ମୁଖ୍ୟାଳୟକୁ ପଠାଯାଉଥିଲା । ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟରେ ଉତ୍ତର ଖାତାଗୁଡ଼ିକୁ ଯାଞ୍ଚ, ସଂକଳନ, କୋଡିଂ ଏବଂ ସ୍କାନିଂ କରାଯାଇ ଡିଜିଟାଲ୍ ମୂଲ୍ୟାୟନ ପାଇଁ କ୍ଲାଉଡ୍ ସର୍ଭରରେ ସୁରକ୍ଷିତ ଭାବେ ଅପଲୋଡ୍ କରାଯାଉଥିଲା । ଏହାପରେ ସ୍କାନ୍ ହୋଇଥିବା ଉତ୍ତର ଖାତାଗୁଡ଼ିକୁ ପଞ୍ଜୀକୃତ ଅଧ୍ୟାପକ ଅଧ୍ୟାପିକାମାନେ ସକାଳ ୭:୦୦ରୁ ରାତି ୯:୦୦ ମଧ୍ୟରେ ନିର୍ଦ୍ଧାରିତ ଇ-ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଡିଜିଟାଲ୍ ପଦ୍ଧତିରେ ମୂଲ୍ୟାୟନ କରୁଥିଲେ । ତେଣୁ, ଏହି ସଫଳତା ବିଶ୍ୱବିଦ୍ୟାଳୟ ପ୍ରଶାସନ, ପରୀକ୍ଷା ବିଭାଗ, ମୂଲ୍ୟାୟନରେ ନିୟୋଜିତ ଅଧ୍ୟାପକ ଅଧ୍ୟାପିକା, ନୋଡାଲ୍ ସେଣ୍ଟର, ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ତଥା ପରୀକ୍ଷା ପରିଚାଳନା, ମୂଲ୍ୟାୟନ ଓ ପ୍ରକ୍ରିୟାକରଣ ସହିତ ଜଡ଼ିତ ସମସ୍ତ ଅଂଶୀଦାରଙ୍କ ମିଳିତ ଏବଂ ସମନ୍ୱିତ ପ୍ରୟାସର ଫଳାଫଳ । ଆଜି ରାଉରକେଲାସ୍ଥିତ ବିପିୟୁଟିର ନେତାଜୀ ସୁଭାଷ ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡସର ପ୍ରତିନିଧି ନରବିଜୟ ଯାଦବଙ୍କ ଦ୍ୱାରା ବିପିୟୁଟିକୁ ଏହି ପୁରସ୍କାର ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ଅଧ୍ୟକ୍ଷତା କରିଥିଲାବେଳ ମୁଖ୍ୟ ଅତିଥି ଭାବେ ରାଉରକେଲାର ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ସମେତ ବିଶିଷ୍ଟ ଅତିଥିଗଣ ଯଥା— ଭୁବନେଶ୍ୱରସ୍ଥିତ ଓୟୁଟିଆରର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ, ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁକାନ୍ତ କୁମାର ପ୍ରଧାନ, ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡ. ଶୁଭଙ୍କର ମହାପାତ୍ର,ଆରଏସପିର ପୂର୍ବତନ ଡିଆଇସି ଡ. ଅତନୁ ଭୌମିକ, ସିୟୁଟିଏମ୍ର ପ୍ରୋ-ଭାଇସ୍ ଚାନ୍ସେଲର୍ ଡ. ଅଜୟ କୁମାର ନାୟକ, ଏବଂ ବିପିୟୁଟି ପରିଚାଳନା ବୋର୍ଡର ସଦସ୍ୟ ତଥା ଓଏମସିଏର ସଭାପତି ଡ. ଆର୍ଯ୍ୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ମହିମାନ୍ୱିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଡ. ବି ବି ମଙ୍ଗରାଜ, ଡି ଏନ୍ ପାଟ୍ଟଯୋଶୀ, ଡ. ଭରଦ୍ୱାଜ ନନ୍ଦ, ଶିବପ୍ରସାଦ ଦାସ, ପିୟୁଷ ରଞ୍ଜନ ଦାସ, ପ୍ରତ୍ୟୁଷା ସିଂ ପ୍ରମୁଖ ସହଯୋଗ କରିଥିଲାବେଳେ ଶେଷରେ ପ୍ରଫେସର ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।