
ସୋହେଲା–ଗ୍ରିଞ୍ଜେଲ ଓଡ଼ିଆର୍ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ରାସ୍ତାରୋକ : ଜିଲ୍ଲାପାଳଙ୍କ ଜନଶୁଣାଣିରେ ପହଞ୍ଚିଲେ ଗ୍ରାମବାସୀ
ବରଗଡ଼, (ମୁନ୍ନା ସାହୁ) : ସୋହେଲା–ଗ୍ରିଞ୍ଜେଲ ଓଡ଼ିଆର୍ ରାସ୍ତାର ଅତ୍ୟନ୍ତ ଶୋଚନୀୟ ଅବସ୍ଥାକୁ ନେଇ ଗ୍ରିଞ୍ଜେଲ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରାସ୍ତାର ଦୁର୍ଦ୍ଦଶା ଏବଂ ଦୀର୍ଘଦିନ ଧରି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ଦୁଇବର୍ଷ ପୂର୍ବରୁ ସୋହେଲା–ଗ୍ରିଞ୍ଜେଲ ଓଡ଼ିଆର୍ ରାସ୍ତାର ଟେଣ୍ଡର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇନାହିଁ । ବର୍ଷା ଦିନରେ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ ଯାତାୟାତ ଅତ୍ୟନ୍ତ ବିପଦଜନକ ହୋଇପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ରାସ୍ତାରେ ପ୍ରାୟ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି ଏବଂ ଅନେକ ଲୋକ ଆହତ ହେଉଛନ୍ତି । ଏହା ସହିତ ଏକ ଗ୍ରାମୀଣ ଓଡ଼ିଆର୍ ରାସ୍ତା ହୋଇଥିଲେ ମଧ୍ୟ ଭାରି କଣ୍ଟେନର ଓ ବ୍ୟବସାୟିକ ଗାଡ଼ି ଚଳାଚଳ କରୁଥିବାରୁ ରାସ୍ତା ଅଧିକ କ୍ଷତିଗ୍ରସ୍ତ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ସମସ୍ୟାକୁ ଆମ ଆଦମୀ ପାର୍ଟିର ଭଟଲି ବିଧାନସଭା ସଭାପତି ମହମ୍ମଦ ଶାହରୁଖ ଲୋଧିଆ ଉଠାଇଥିଲେ । ରାସ୍ତାରୋକ ସମୟରେ ଜିଲ୍ଲାପାଳ ଘଟଣାସ୍ଥଳକୁ ନ ଆସିବାରୁ ସେ ଗ୍ରାମବାସୀଙ୍କ ସହ ଜିଲ୍ଲାପାଳଙ୍କ ଜନଶୁଣାଣିରେ ପହଞ୍ଚି ସୋହେଲା–ଗ୍ରିଞ୍ଜେଲ ଓଡ଼ିଆର୍ ରାସ୍ତାର ଶୋଚନୀୟ ଅବସ୍ଥା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଥିଲେ । ଜନଶୁଣାଣିରେ ଗ୍ରାମବାସୀମାନେ ଦାବି କରିଥିଲେ ଯେ, ସୋହେଲା–ଗ୍ରିଞ୍ଜେଲ ଓଡ଼ିଆର୍ ରାସ୍ତାର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରାଯାଉ, ଯାହାଫଳରେ ଲୋକମାନେ ସୁରକ୍ଷିତ ଭାବେ ଯାତାୟାତ କରିପାରିବେ । ଏହି ଅଭିଯୋଗ ଶୁଣି ଉପସ୍ଥିତ ତହସିଲଦାର ଓ ପିଡବ୍ଲ୍ୟୁଡି ବିଭାଗର ଅଧିକାରୀମାନେ ଗ୍ରାମବାସୀଙ୍କୁ ଆଶ୍ୱାସନ ଦେଇଥିଲେ ଯେ, ଚଳିତ ବର୍ଷ ନଭେମ୍ବର ସୁଦ୍ଧା ସୋହେଲା–ଗ୍ରିଞ୍ଜେଲ ଓଡ଼ିଆର୍ ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ଏହି ଆଶ୍ୱାସନ ପରେ ଗ୍ରାମବାସୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସମ୍ପୂର୍ଣ୍ଣ ନ ହେଲେ ପୁଣିଥରେ ବୃହତ୍ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।