
ବାରିପଦା, (ଦେବସ୍ମିତ ଚୌଧୁରୀ) : ବିଜେପି ମୟୂରଭଞ୍ଜ (ପୂର୍ବ) ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସୋମବାର ଦିନ ଏଠାରେ ଏକ ବଡ଼ ଧରଣର “ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ” ପଦଯାତ୍ରା କରାଯିବା ସହ ଏହି ପ୍ରସଙ୍ଗକୁ ନେଇ ଏକ ବିଶାଳ ଜନ ସମାବେଶ ଆୟୋଜିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଭାଗରୁ ଶହ ଶହ ସଂଖ୍ୟାରେ କର୍ମୀ ଆସି ଭାଗ ନେଇଥିବା ଏହି ପଦଯାତ୍ରା ପୂର୍ବାହ୍ନ ଦଶଟାରେ ସ୍ଥାନୀୟ ମଧୁବନ ପଡ଼ିଆରୁ ବାହାରି ସହର ପରିକ୍ରମା କରି ସ୍ଥାନୀୟ ପ୍ୟାରେଡ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ଦଳର ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ରାଜ୍ୟ ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଉଦ୍ବୋଧନ ଦେଇ “ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଓ ବିକାଶ କାର୍ଯ୍ୟକ୍ରମ ଚୟନକୁ ସହି ନପାରି ଦେଶରେ ବିଭ୍ରାନ୍ତ ଓ ଅରାଜକତା ସୃଷ୍ଟି କରୁଛନ୍ତି” ବୋଲି କହିବା ସହ ଜନସାଧାରଣ ଏମାନଙ୍କ ଏ ପ୍ରକାର ଗଣତନ୍ତ୍ର-ବିରୋଧୀ କାର୍ଯ୍ୟକଳାପକୁ ନେଇ ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ । ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଉଦଳାର ବରିଷ୍ଠ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ମଢ଼େଇ, ବାରିପଦା ବିଧାୟକ ପ୍ରକାଶ ଚନ୍ଦ୍ର ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଙ୍ଗରିପୋଷୀ ବିଧାୟିକା ସଞ୍ଜଳି ମୁର୍ମୁ, ବିଜେପି ରାଜ୍ୟ ଉପସଭାନେତ୍ରୀ ତଥା ଜିଲ୍ଲା ପ୍ରଭାରୀ ସିପ୍ରା ବାଜପେୟୀ, ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ବୁଢାନ ମୁର୍ମୁ, ଉପାଧ୍ୟକ୍ଷା କୌଶଲ୍ୟା ନାଏକ, ଉଦଳା ଏନ.ଏ.ସି. ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଗଣତନ୍ତ୍ର ଓ ଗାଣତନ୍ତ୍ରିକ ମୂଲ୍ୟବୋଧ ସପକ୍ଷରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି, ପ୍ରବୀଣ କୁମାର ପାତ୍ର ଓ ପ୍ରଣକୃଷ୍ଣ ବେରା ପ୍ରମୁଖ ତତ୍ପର ଥିବା ଲକ୍ଷ୍ୟ କରାଯାଇଥିଲା । ସମାବେଶ ପୂର୍ବରୁ ସମ୍ପନ୍ନ ପଦଯାତ୍ରାରେ ବିଭିନ୍ନ ପ୍ରକାର ଗଣତନ୍ତ୍ର-ସପକ୍ଷବାଦୀ ପ୍ଲାକାଡ ଧରିଥିବା ଶହ ଶହ କର୍ମୀ “ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ”, “ଜନାଦେଶର ଅପମାନ, ସହିବ ନାହିଁ ହିନ୍ଦୁସ୍ତାନ” ପ୍ରଭୃତି ସ୍ଲୋଗାନମାନ ଦେଇଥିଲେ । ଏହି ବର୍ଣ୍ଣାଢ୍ୟ ପଦଯାତ୍ରାକୁ ସୁଗୁଦା ମୁର୍ମୁ, ସୁକୁଲ ମୁର୍ମୁ, ନରୋତ୍ତମ ପାଣିଗ୍ରାହୀ, ସୁରଜ ଲୋହାର, ସୌମ୍ୟ ରଞ୍ଜନ ମିଶ୍ର, ଦେବବ୍ରତ ସାମଲ, ସଭାବତୀ ଓତା, ଟୁନାରାମ ଥାୟାଲ, କମଳଲୋଚନ ରାୟ, ଏସ୍. କେ. ନାସିରୁଦ୍ଦିନ, ସୁଜାତା ଷଡ଼ଙ୍ଗୀ, ମମତା ସାହୁ, ମମତା ମଣ୍ଡଳ, ଲକ୍ଷ୍ମୀ ସାହୁ, ବ୍ରଜମୋହନ ବେହେରା, ଦଳଗୋବିନ୍ଦ ବେହେରା, ସରୋଜିନୀ କିସ୍କୁ, ପରିକ୍ଷିତ ଦେ, ଜଗନ୍ନାଥ ମଲ୍ଲିକ, ପ୍ରାଚୀ ସୁମନ ମହାନ୍ତି, ଦିନେଶ ଦାସ ପ୍ରମୁଖ ପରିଚାଳନା କରୁଥିବା ଦେଖାଯାଇଥିଲା ।