
ବ୍ରହ୍ମପୁର, (କେପିଏନ୍ଏସ୍) : ଗଞ୍ଜାମ ଲଗାତାର ବାତ୍ୟା, ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର କୃଷି କ୍ଷେତ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାର ପ୍ରଭାବରେ ହଜାର ହଜାର କୃଷକ ପରିବାର ଆର୍ଥିକ ଦୁର୍ଦ୍ଦଶା ଓ ଜୀବିକା ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ କୃଷକଙ୍କ ପୁନର୍ବାସ ଓ କୃଷିର ପୁନରୁଦ୍ଧାର ପାଇଁ ଗଞ୍ଜାମ ଜିଲ୍ଲା ନିମନ୍ତେ ଏକ ସ୍ୱତନ୍ତ୍ର କୃଷି ପ୍ୟାକେଜ୍ ଘୋଷଣା କରିବାକୁ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ଓ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଏବଂ ସଞ୍ଜିବ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । କୃଷକଙ୍କ ଦୁର୍ଦ୍ଦଶାକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ସହାୟତା ପ୍ରଦାନ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗଞ୍ଜାମ ଜିଲ୍ଲାର ହଜାର ହଜାର ପରିବାର କୃଷି ଉପରେ ନିର୍ଭରଶୀଳ । ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧାନ, ପନିପରିବା, ଡାଲିଜାତୀୟ ଫସଲ, ତୈଳବୀଜ, ଫୁଲଚାଷ ଓ ଉଦ୍ୟାନ କୃଷି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏପରିକି ଅମଳ ହେବାକୁ ଥିବା ଫସଲ ମଧ୍ୟ ନଷ୍ଟ ହୋଇଛି । ମତ୍ସ୍ୟଚାଷ, ଜଳସେଚନ ବ୍ୟବସ୍ଥା ଓ କୃଷି ଉପକରଣ ମଧ୍ୟ କ୍ଷତିରୁ ବାଦ୍ ପଡ଼ିନାହିଁ । ଚାଷ ପାଇଁ ବିହନ, ସାର, ଶ୍ରମିକ ଓ ଜଳସେଚନରେ ନିଜର ସତ ଅର୍ଥ ବିନିଯୋଗ କରିଥିବା କୃଷକମାନେ ଏବେ ଫସଲ ହରାଇ ଋଣଭାରରେ ବୁଡ଼ିବାକୁ ବସିଛନ୍ତି । ଫସଲ ନଷ୍ଟ ହେବା ସହ ଆୟର ଉତ୍ସ ବନ୍ଦ ହୋଇଯାଇଥିବାରୁ ପରିବାର ପ୍ରତିପୋଷଣ ମଧ୍ୟ ଚିନ୍ତାଜନକ ହୋଇପଡ଼ିଛି । ଏଭଳି ସ୍ଥିତିରେ ସରକାରୀ ସହାୟତା ବିଳମ୍ୱ ହେଲେ ଅନେକ କୃଷକ ଚାଷ ଛାଡ଼ିବାକୁ ବାଧ୍ୟ ହେବାର ଆଶଙ୍କା ରହିଛି । କୃଷକଙ୍କୁ ତୁରନ୍ତ ଆର୍ଥିକ ସହାୟତା, କ୍ଷତିପୂରଣ ଓ ପୁନଃଚାଷ ପାଇଁ ଅଧିକ କୃଷି ଇନ୍ପୁଟ୍ ସବ୍ସିଡି ପ୍ରଦାନ କରିବାକୁ ଦାବି କରାଯାଇଛି । ଏଥିସହ ଫସଲ ଋଣ ପୁନର୍ଗଠନ, ଋଣ ପରିଶୋଧ ସମୟସୀମା ବୃଦ୍ଧି, ସୁଧ ସହାୟତାଯୁକ୍ତ ନୂତନ ଋଣ ଏବଂ ଯୋଗ୍ୟ କୃଷକଙ୍କୁ ଫସଲ ବୀମା ସହାୟତା ଯୋଗାଇଦେବାକୁ ନିବେଦନ କରାଯାଇଛି । ବିଶେଷକରି ଫୁଲଚାଷୀ, ପନିପରିବା ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ଭାଗଚାଷୀ ଓ ବଟାଇ ଚାଷୀଙ୍କୁ ରିଲିଫ୍ ପ୍ରକ୍ରିୟାରେ ସାମିଲ କରିବାକୁ ଦାବି ହୋଇଛି । କ୍ଷତିଗ୍ରସ୍ତ କୃଷକଙ୍କୁ ମାଗଣା କିମ୍ୱା ରିହାତି ଦରରେ ବିହନ, ସାର, ଜୈବିକ ଖତ ଓ ଫସଲ ସୁରକ୍ଷା ସାମଗ୍ରୀ ଯୋଗାଇବା ସହ ନଷ୍ଟ ହୋଇଥିବା ଜଳସେଚନ ଓ ଜଳ ନିଷ୍କାସନ ବ୍ୟବସ୍ଥାର ମରାମତି ପାଇଁ ସହାୟତା ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି । କେବଳ କ୍ଷତିପୂରଣ ନୁହେଁ, କୃଷକଙ୍କ ଦୀର୍ଘକାଳୀନ ଜୀବିକା ସୁରକ୍ଷା ପାଇଁ ବଜାର ସଂଯୋଗ, କୃଷିଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି, ଶୀତଳ ଭଣ୍ଡାର, ପରିବହନ ଓ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । କୃଷକ ଉତ୍ପାଦକ ସଂଗଠନ ଗଠନ, ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରାମୀଣ ଉଦ୍ୟୋଗୀକରଣ ମାଧ୍ୟମରେ ବିକଳ୍ପ ଜୀବିକା ସୃଷ୍ଟି କରିବାକୁ ପ୍ରସ୍ତାବ ରହିଛି । ଏହା ସହିତ ଗଞ୍ଜାମ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ “ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର କୃଷି ପୁନର୍ବାସ ମିଶନ’ ଗଠନ କରିବାକୁ ଦାବି କରାଯାଇଛି । ଏହି ମିଶନ ମାଧ୍ୟମରେ ବ୍ଲକ୍ ଓ ଗ୍ରାମସ୍ତରରେ ଫସଲ କ୍ଷୟକ୍ଷତି ଆକଳନ, କ୍ଷତିଗ୍ରସ୍ତ କୃଷକଙ୍କ ଚିହ୍ନଟ, ସ୍ୱଚ୍ଛ ଓ ସମୟବଦ୍ଧ କ୍ଷତିପୂରଣ ବଣ୍ଟନ ଏବଂ କୃଷି ପୁନରୁଦ୍ଧାର ଯୋଜନା ପ୍ରସ୍ତୁତି କରାଯିବାକୁ ପ୍ରସ୍ତାବ ରହିଛି । କୃଷକଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଥିବା ଋଷିକୁଲ୍ୟା ରୟତ ମହାସଭା ଓ କୃଷି ବିପଣନ, ପ୍ରାକୃତିକ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ କାର୍ଯ୍ୟରତ ହାପିଡୁକାନ୍ ପକ୍ଷରୁ ଏହି ପୁନର୍ବାସ ପ୍ରକ୍ରିୟାରେ ପ୍ରଶାସନକୁ ସହଯୋଗ କରିବାର ପ୍ରତିଶୃତି ଦିଆଯାଇଛି । କୃଷକଙ୍କ ଆର୍ଥିକ ସ୍ଥିରତା, ଆତ୍ମବିଶ୍ୱାସ ଓ କୃଷିର ଦୀର୍ଘକାଳୀନ ସ୍ଥାୟିତ୍ୱ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଆବାହକ ଶ୍ରୀ ରଥ ଓ ରୟତ ମହାସଭାର ସମ୍ପାଦକ ଶ୍ରୀ ନାୟକ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।