pakka

ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନାରେ ଚାଷୀକୁଳ ଅଧିକ ଲାଭବାନ ହୋଇପାରିବେ – ଜିଲ୍ଲାପାଳ

bbehera

• ହିଞ୍ଜିଳିକାଟୁ ବ୍ଲକ କୃଷି ଉଦ୍ୟୋଗର ବିକାଶ ଦିଗରେ ବୈଷୟିକ ଦଳଙ୍କ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୃଷି ଉଦ୍ୟୋଗ ଗୁଡିକର ବିକାଶ ହୋଇପାରିଲେ କୃଷିର ଉନ୍ନତି ହେବା ସହିତ ଅଣ-୯ ଧାନଚାଷ ନିମନ୍ତେ ସମସ୍ତ ବ୍ୟବସ୍ଥା ହୋଇପାରିଲେ, ଚାଷୀକୁଳ ଅଧିକ ଲାଭାନ୍ଵିତ ହୋଇପାରିବେ । ସୋମବାର ପୂର୍ବାହ୍ନରେ ଜୁମ୍ ଆଭାସୀ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ହିଞ୍ଜିଳିକାଟୁ ବ୍ଲକର କୃଷି ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା କରି କୃଷି କାର୍ଯ୍ୟକୁ ଅଧିକ ପ୍ରୋତ୍ସାହନ କରିବା ନେଇ ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗ୍ରାମ ପଞ୍ଚାୟତ ସ୍ତରରୁ କ୍ଲଷ୍ଟର ଗଠନ କରି କାର୍ଯ୍ୟପନ୍ଥା ସ୍ଥିର କରି କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥିଲେ । ରବି ଚାଷ ସକାଶେ ଅଣଧାନ ମୁଗ, ତୈଳ ଜାତୀୟ ଫସଲ ସହିତ ପନିପରିବା, ମତ୍ସ୍ୟ ଚାଷ, ଡାଏରୀ ଫାର୍ମ, କୁକୁଡା ଫାର୍ମ ଇତ୍ୟାଦି ସମ୍ପର୍କିତ ଆଲୋଚନା ହୋଇଯାଇଛି । ୨୧ ଗୋଟି ଗ୍ରାମ ପଞ୍ଚାୟତରେ ୨୧ ଗୋଟି କ୍ଲଷ୍ଟର କରାଯିବ । କୃଷକମାନଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ମଧ୍ୟ ବ୍ୟାଙ୍କ ଲିଙ୍କ୍ କରାଯାଇ ସେମାନେ କିଭଳି ଋଣ ପାଇବେ ସେ ଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କୃଷି କାର୍ଯ୍ୟ ସକାଶେ ଚାଷ ଜମିକୁ କିଭଳି ସୁଚାରୁ ରୂପେ ଜଳ ଯୋଗାଣ ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ୧୦୦୦ ଜଣ କୃଷକଙ୍କୁ ନେଇ ଗୋଟିଏ ଗୋଟିଏ କ୍ଲଷ୍ଟର ହେବ । ଗୋଟିଏ କ୍ଲଷ୍ଟରରେ ୧୦୦୦ ଜଣ କୃଷକ କିଭଳି ଅନ୍ତର୍ଭୁକ୍ତ ହୋଇପାରିବେ, ତାହାର ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ଗୋଟିଏ ୟୁନିଟ୍ କରାଯାଉ ଯଦ୍ୱାରା ସେମାନଙ୍କ ଦ୍ଵାରା କୃଷିଜାତ ହେଉଥିବା ପନିପରିବା ବଜାର ସହିତ ସଂଯୋଗ ହେବାରେ ସୁବିଧା ହେବ । ଉତ୍ତମ ମାନର ପନିପରିବା ଚାଷ ହେବା ଫଳରେ ଚାଷୀକୁଳ କ୍ଷତିରେ ପଡିବେ ନାହିଁ । ସଠିକ ଅର୍ଥରେ ତାହା ବିକ୍ରି ହୋଇପାରିବ । ଗଞ୍ଜାମ ଜିଲ୍ଲାର ପନିପରିବା କଟକ, ଭୁବନେଶ୍ୱର ସମେତ ନିକଟସ୍ଥ ଜିଲ୍ଲାମାନଙ୍କରେ ବିକ୍ରି ସକାଶେ ଯାଉଛି ଏବଂ ସେଗୁଡିକର ଅନେକ ଚାହିଦା ରହିଛି । ଦୁଗ୍ଧଜାତ ଦ୍ରବ୍ୟ ସକାଶେ ଡାଏରୀ ଫାର୍ମ ନିମନ୍ତେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ଦୈନିକ ୧୨୦ ଟନ୍‌ ଦୁଗ୍ଧର ଆବଶ୍ୟକତା ମେଣ୍ଟାଇବା ଭଳି ଯଦି ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ କ୍ଷମତା ରହିବ ତେବେ ଶିଳ୍ପ ସଂସ୍ଥା ଗୁଡିକ କୃଷକଙ୍କ ଡାଏରୀ ଫାର୍ମକୁ ଆସି ଦୁଗ୍ଧ କିଣିବେ । ତେଣୁ ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସହିତ ସାମିଲ କରିବାକୁ କୁହାଯାଇଛି । ଚାଷୀମାନଙ୍କର ଚାଷ କାର୍ଯ୍ୟ ଦିଗରେ କଣ ସବୁ ସମସ୍ୟା ମାନ ଦେଖାଯାଉଛି ତାହା ଜିଲ୍ଲାପାଳ ପଚାରି ବୁଝିଥିଲେ । ସେହି ସମସ୍ୟା ଗୁଡିକ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ସମାଧାନ କରିବା ପାଇଁ ଜଣାଇଥିଲେ । ଏ ଦିଗରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବ ବୋଲି କହିଥିଲେ । ପଶୁ ସମ୍ପଦ ଓ ମତ୍ସ୍ୟ ବିଭାଗର ସମସ୍ତ ୧୦ ଗୋଟି ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଛି, ଯାହାକି ଶତ ପ୍ରତିଶତ ପୂରଣ ହୋଇ ପାରିଛି । କୃଷକ ଓଡିଶାରେ ୫୯୫୭ ଚାଷୀ ପଞ୍ଜିକରଣ କରିଛନ୍ତି । ଚାଷ କାର୍ଯ୍ୟ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ଜମି ନାହିଁ । ତେଣୁ ସେମାନଙ୍କୁ ସ୍ଥାନ ଯୋଗାଇ ଦିଆଯାଇ ସେମାନେ କିଭଳି ଶହେ ଗୋଟି ଛେଳି ରଖି ଛେଳି ପାଳନ କରି ସେଥିରୁ ଲାଭବାନ୍ ହୋଇପାରିବେ ସେ ଦିଗରେ କାର୍ଯ୍ୟଖସଡା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଗୋପାଳନ ନିମନ୍ତେ ହଜାରେ ଗୋଟି ଗାଈକୁ ନେଇ ଗୋଟିଏ କ୍ଲଷ୍ଟର କରି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ପ୍ରୋତ୍ସାହିତ କରିବା ପାଇଁ କୁହାଯାଇଛି । ଡିସେମ୍ବର ମାସ ଶେଷ ସୁଦ୍ଧା ଶତକଡା ୯୦ ପ୍ରତିଶତ ବ୍ୟାଙ୍କ ସଂସ୍ଥା ସହିତ ସଂପୃକ୍ତ କରାଯାଇ କିଭଳି ଋଣ ପ୍ରଦାନ ହେବ ସେ ଦିଗରେ ପଦକ୍ଷେପ ନେବାପାଇଁ ସହକାରୀ ସମବାୟ ସମିତିଙ୍କୁ କୁହାଯାଇଛି । ଅମୃତ ସରୋବର ଯୋଜନାରେ ପୋଖରୀରେ ମତ୍ସ୍ୟଚାଷ ହୋଇ ପାରିବ ସେଥିରେ ମଧ୍ୟ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ କୁହାଯାଇଛି । ଜିଲ୍ଲାରେ ଆବଶ୍ୟକ ହେଉଥିବା ଯାଆଁଲ ନିମନ୍ତେ ହ୍ୟାଚେରୀ ସୃଷ୍ଟି କରିବା ପାଇଁ କୁହାଯାଇଛି । କୃଷକମାନଙ୍କର ଚାଷ ପ୍ରଣାଳୀକୁ କ୍ଲଷ୍ଟର ୟୁନିଟ୍ ୱାଇଜ୍ କରାଗଲେ ତାହା ଚିରସ୍ଥାୟୀ ଏବଂ ନିଶ୍ଚିତ ସଫଳ ହେବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ବ୍ୟକ୍ତ କରିଥିଲେ ।

ବୈଠକରେ ଜିଲ୍ଲା ପରିଷଦର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କୀର୍ତ୍ତି ୱାସନ ଭି, ହିଞ୍ଜିଳି ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ, ଜିଲ୍ଲା ମତ୍ସ୍ୟ ସଂପ୍ରସାରଣ ଅଧିକାରୀ, ମିଶନ୍ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

one × 5 =