
ବରଗଡ଼, (ମୁନ୍ନ୍ନା ସାହୁ) : ବରଗଡ଼ରେ ଟ୍ରକ୍ ଆତଙ୍କ । ଅଳ୍ପକେ ବର୍ତ୍ତିଲେ ଚାରି ସାମ୍ବାଦିକ । ଗଙ୍ଗାଶ୍ରାଦ୍ଧ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ସାମ୍ବାଦିକଙ୍କ କାର୍କୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦେଖାଦେଇଥିଲା ତୀବ୍ର ଉତ୍ତେଜନା । ବରଗଡ଼ ସହରରେ ବେଆଇନ ଭାବେ ଚଳାଚଳ କରୁଥିବା ଭାରୀଯାନକୁ ନେଇ ଉଠିଛି ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନ । ସୂଚନା ଅନୁସାରେ, ବରଗଡ଼ର ଚାରି ଜଣ ସାମ୍ବାଦିକ ଏକ କାର୍ ଯୋଗେ ଗଙ୍ଗାଶ୍ରାଦ୍ଧ କାର୍ଯ୍ୟକ୍ରମକୁ ଯାଉଥିଲେ । ଏହି ସମୟରେ ଗଣପତି ହୋଟେଲ ସମ୍ମୁଖରେ ଓଆର୍ ୧୫ ଜେ ୪୪୧୭ ନମ୍ବର ବିଶିଷ୍ଟ ଏକ ଟ୍ରକ୍ ସାମ୍ବାଦିକଙ୍କ କାର୍କୁ ଧକ୍କା ଦେଇଥିଲା । ତେବେ ସୌଭାଗ୍ୟବଶତଃ କାର୍ରେ ଥିବା ଚାରି ଜଣ ସାମ୍ବାଦିକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବରଗଡ଼ ସବ୍କଲେକ୍ଟର, ଆର୍ଟିଓ ଅଧିକାରୀ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପଟେ ବରଗଡ଼ ସହରରେ ବିନା ଆବଶ୍ୟକୀୟ କାଗଜପତ୍ରରେ ଟ୍ରକ୍ ଓ ଅନ୍ୟ ଭାରୀଯାନ ଚଳାଚଳ କରୁଥିବା ଅଭିଯୋଗ ହୋଇଛି । ପ୍ରତିଦିନ ନିୟମ ଉଲ୍ଲଂଘନ ହେଉଥିବା ସତ୍ତ୍ୱେ ପ୍ରଶାସନ କାହିଁକି ଠୋସ୍ ପଦକ୍ଷେପ ନେଉନାହିଁ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମ୍ବାଦିକମାନେ । ଏନେଇ ଜିଲ୍ଲାପାଳଙ୍କ ସହ ଏକ ବୈଠକ କରାଯାଇ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଛି । ତେବେ ପ୍ରଶ୍ନ ଉଠୁଛି, ଆଉ କେତେ ଦୁର୍ଘଟଣା ପରେ ଚେତିବ ବରଗଡ଼ ପ୍ରଶାସନ ?