jayashree

ବିଦ୍ୟୁତ୍ ଫାସରେ ବାରହା ଶିକାର : ମାଂସ ରାନ୍ଧୁଥିବା ବେଳେ ୬ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବିଦ୍ୟୁତ୍ ତାର ବିଛାଇ ଜଙ୍ଗଲୀ ବାରହା ଶିକାର କରିବା ମହଙ୍ଗା ପଡ଼ିଛି ୬ ଜଣଙ୍କୁ । ହରିଶଙ୍କର ବନାଞ୍ଚଳ ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତର ବଳିଆବାହାଲ ଗ୍ରାମରେ ବାରହା ମାଂସ ରାନ୍ଧୁଥିବା ସମୟରେ ବନ ବିଭାଗ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଗ୍ରାମର କୈବଲ ଛତ୍ରିଆ ମଙ୍ଗଳବାର ରାତିରେ ନିଜ କ୍ଷେତରେ ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ । ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏକ ବାରହା ଉକ୍ତ ଫାସରେ ପଡ଼ିଥିଲା । ପରେ କୈବଲଙ୍କ ସମେତ କିଛି ବ୍ୟକ୍ତି ମିଶି ବାରହାକୁ ମାରି କ୍ଷେତରେ ମାଂସ ରାନ୍ଧୁଥିଲେ । ଖବର ପାଇ ଖପ୍ରାଖୋଲ ବନ ବିଭାଗ ଚଢ଼ାଉ କରି ୯ କିଲୋ ୨୦୦ ଗ୍ରାମ ରନ୍ଧା ମାଂସ, ୩ କିଲୋ ୯୦୦ ଗ୍ରାମ ବିଦ୍ୟୁତ୍ ତାର, କୁରାଢ଼ି, କଟରା ଓ ରୋଷେଇ ସାମଗ୍ରୀ ଜବତ କରିଥିଲା । ଘଟଣାସ୍ଥଳରୁ କୈବଲ ଛତ୍ରିଆ, ଜଗବନ୍ଧୁ ରଣା, ସଂକୀର୍ତ୍ତନ ଛତ୍ରିଆ, ସମ୍ବାରୁ ନାଗ, କୀର୍ତ୍ତି ନାଏକ ଓ ଭଜନ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ହରିଶଙ୍କର ବନାଞ୍ଚଳ ଅଧିକାରୀ ତଥା ଏସିଏଫ୍‌ ଅରବିନ୍ଦ ନାଏକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.