jayashree

ସାରସ୍ୱତ ସାଧକ କୁବେର ପୁରୋହିତଙ୍କ ଶେଷକୃତ୍ୟ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଆ ଭାଷା ଓ ସାହିତ୍ୟ ଜଗତର ଜଣେ ବିଶିଷ୍ଟ ସାଧକ, ବହୁଭାଷୀ ପଣ୍ଡିତ, ସୁବକ୍ତା ତଥା ପ୍ରତିଭା ସମ୍ପନ୍ନ ସାହିତ୍ୟିକ କୁବେର ପୁରୋହିତଙ୍କ ପରଲୋକ ଘଟିଛି । ଗତ କାଲି ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପଦ୍ମପୁର ସରକାରୀ ଡାକ୍ତରଖାନାରେ ୮୨ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ କେବଳ ପଦ୍ମପୁର ଅଞ୍ଚଳ ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାର ସାହିତ୍ୟ ଓ ବୌଦ୍ଧିକ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି । ବରଗଡ଼ ଜିଲ୍ଲାର ପଦ୍ମପୁର ନିକଟସ୍ଥ ବରିକେଲ ପଞ୍ଚାୟତ ସିଂହନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପୁରୋହିତ ବୃତ୍ତିରେ ଜଣେ ହିନ୍ଦୀ ଶିକ୍ଷକ ଥିଲେ ମଧ୍ୟ ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ ରହିଥିଲା । ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଅଗାଧ ଅନୁରାଗ, ଅଧ୍ୟୟନଶୀଳତା ଓ ନିରନ୍ତର ସାଧନା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ସେ ‘ମାତୃଶକ୍ତି’ ଓ ‘ମଣିଷ’ ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ଭାବେ ଓ ସମନ୍ଵୟ ପତ୍ରିକାର ସମ୍ପାଦକ ଭାବରେ ସାହିତ୍ୟ ଓ ସାମାଜିକ ଚେତନାର ପ୍ରସାର ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ତାଙ୍କର ଅନେକ ଉଚ୍ଚକୋଟୀର କବିତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇ ପାଠକ ମହଲରେ ବେଶ୍ ଆଦୃତ ହୋଇଥିଲା । ଜଣେ ଅସାଧାରଣ ବାଗ୍ମୀ ଭାବେ ତାଙ୍କର ଯୁକ୍ତିପୂର୍ଣ୍ଣ, ଜ୍ଞାନଗର୍ଭକ ଓ ହୃଦୟସ୍ପର୍ଶୀ ଭାଷଣ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିପାରୁଥିଲା । ତାଙ୍କର ବ୍ୟକ୍ତିତ୍ୱ, ଜ୍ଞାନ ଓ ସାହିତ୍ୟ ସାଧନା ତାଙ୍କୁ ଅଞ୍ଚଳର ଏକ ଶ୍ରଦ୍ଧାଭାଜନ ବ୍ୟକ୍ତିତ୍ୱରେ ପରିଣତ କରିଥିଲା । ମାତ୍ର ଦୁଇ ମାସ ପୂର୍ବରୁ ତାଙ୍କର ସହଧର୍ମିଣୀଙ୍କ ବିୟୋଗ ଘଟିଥିଲା । ଆଜି ସେ ମଧ୍ୟ ଇହଲୀଳା ସମ୍ବରଣ କରିବା ସହ ତିନି ପୁତ୍ର, ବୋହୂ ଓ ନାତିନାତୁଣୀଙ୍କୁ ଶୋକସନ୍ତପ୍ତ କରି ଛାଡ଼ିଯାଇଛନ୍ତି । ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ପଦ୍ମପୁର ସମେତ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାହିତ୍ୟପ୍ରେମୀ,ବୁଦ୍ଧିଜୀବୀ ଓ ଶୁଭେଚ୍ଛୁ ଡାକ୍ତରଖାନାରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଶୋକାକୁଳ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଆଜି ୧୮ ତାରିଖ ବୁଧବାର ସକାଳେ ତାଙ୍କ ଜନ୍ମମାଟିର ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସାନ ପୁଅ ଅଖିଳ ପୁରୋହିତ ମୁଖାଗ୍ନି ପ୍ରଦାନ କରିଥିଲେ । ଜଣେ ଶିକ୍ଷକ ଭାବେ ସେ ଜ୍ଞାନ ବାଣ୍ଟିଥିଲେ, ଜଣେ ସାହିତ୍ୟିକ ଭାବେ ଶବ୍ଦରେ ଜୀବନ ଭରିଥିଲେ ଏବଂ ଜଣେ ବାଗ୍ମୀ ଭାବେ ସମାଜକୁ ଚିନ୍ତା କରିବାର ଖୋରାକ ଯୋଗାଇଥିଲେ । ତାଙ୍କର ଶରୀର ଆଜି ଆମ ମଧ୍ୟରେ ନାହିଁ, କିନ୍ତୁ ତାଙ୍କର ସାହିତ୍ୟ ସାଧନା, ଚିନ୍ତାଧାରା ଓ ସୃଜନଶୀଳ ଅବଦାନ ଆଗାମୀ ପିଢ଼ି ପାଇଁ ସ୍ମରଣୀୟ ହୋଇ ରହିବ । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ନିଶ୍ଚିତ ଭାବେ ଅପୂରଣୀୟ ।

Leave A Reply

Your email address will not be published.