ଆଜି ସାପ୍ତାହିକ ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ଏକବିଂଶତମ ଜନ୍ମ ଦିବସ : ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଶୁଭେଚ୍ଛା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ଏକବିଂଶତମ ଜନ୍ମ ଦିବସ । ଏହି ଅବସରରେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଅଗଣିତ ପାଠକ ପାଠିକା, ବିଜ୍ଞାପନଦାତା ତଥା ଶୁଭେଚ୍ଛୁମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ନଭେମ୍ବର ମାସ ପ୍ରଥମ ରବିବାର ଦିନ ‘କୋଶଳ ପ୍ରବାହ’ ତାର ଜନ୍ମୋତ୍ସବ ପାଳନ କରିଥାଏ । ତେବେ କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କୌଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଇନାହିଁ । ଏହି ମହାର୍ଘ୍ୟ ଅବସରରେ କେବଳ ‘କୋଶଳ ପ୍ରବାହ’ କାର୍ଯ୍ୟାଳୟରେ ପୂଜା କରାଯିବା ସହ ଜନ୍ମ ଦିବସ ଅବସରରେ ଜନ୍ମଦିବସ ବିଶେଷାଙ୍କ ଭାବରେ ପ୍ରକାଶ ପାଇବ ‘କୋଶଳ ପ୍ରବାହ’ । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ‘କୋଶଳ ପ୍ରବାହ’ର ଜନ୍ମ ଦିବସକୁ ବହୁ ଆଡ଼ମ୍ବର ସହକାରେ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ । ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, କୁଇଜ୍‌ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଓଡ଼ିଶା ସ୍ତରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ଭଳି ମହତ୍‌ ପଦକ୍ଷେପ ମଧ୍ୟ ନିଆଯାଇଥାଏ । କିନ୍ତୁ ଚଳିତ ବର୍ଷର କରୋନା ସଂକ୍ରମଣ ସ୍ଥିତି ଯୋଗୁଁ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୨୦ ବର୍ଷର ଜୟଯାତ୍ରାକୁ ଅତିକ୍ରମ କରି ‘କୋଶଳ ପ୍ରବାହ’ ୨୧ ବର୍ଷରେ ପାଦ ଦେଇଛି । ଏହା ସତ ଯେ, ଏହି ଯାତ୍ରା ଭିତରେ ଅନେକ ବାଧାବିଘ୍ନକୁ ସାମ୍ନା କରିଛି ‘କୋଶଳ ପ୍ରବାହ’ । କିନ୍ତୁ ନିଜର ଆଦର୍ଶ ଓ ବିଚାରଧାରାକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ କେବେ ବି ପଛକୁ ଲେଉଟି ନାହିଁ । ମାଡ଼ି ଚାଲିଛି ଆଗକୁ ଆଗକୁ । ସମୟର ସ୍ଲୋଗାନ୍‌କୁ ମଧ୍ୟ ସାଦରେ ଗ୍ରହଣ କରିଛି । ବର୍ତ୍ତମାନର ଡିଜିଟାଲ୍‌ ମାଧ୍ୟମକୁ ଆପଣେଇବାରେ ମଧ୍ୟ ପଶ୍ଚାତ୍‌ପଦ ହୋଇନାହିଁ କେବେ । ସାପ୍ତାହିକ ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ନିଜସ୍ୱ ୱେବ୍‌ ସାଇଟ୍‌ ‘www. koshalaprabaha.com’ ମାଧ୍ୟମରେ ଏବେ ସାରା ବିଶ୍ୱର ପାଠକ ପାଠିକା ଏହାର ପ୍ରତ୍ୟେକ ସଂଖ୍ୟା ପଢ଼ିବାର ସୁଯୋଗ ପାଉଛନ୍ତି । ସେହିଭଳି ପାଠକ ପାଠିକାଙ୍କ ଆଗ୍ରହକୁ ସଲାମ୍‌ କରି ‘କୋଶଳ ପ୍ରବାହ’ ଆଉ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି । ପ୍ରତି ମୁହୂର୍ତ୍ତରେ ପାଠକ ପାଠିକା ତଥା ଶୁଭେଚ୍ଛୁଙ୍କୁ ଦେଶ ବିଦେଶରୁ ସାରା ଓଡ଼ିଶା ତଥା ଏହାର ଗ୍ରାମାଂଚଳର ଟିକିନିକି ଖବର ଦେବା ପାଇଁ ଆରମ୍ଭ କରି ତାର ୱେବ୍‌ ପୋର୍ଟାଲ ‘koshalaprabahalive.com’ । ତେବେ ଆମର ଶୁଭେଚ୍ଛୁମାନଙ୍କ ଶ୍ରଦ୍ଧା ଯୋଗୁଁ ‘କୋଶଳ ପ୍ରବାହ ଲାଇଭ୍‌’ ମଧ୍ୟ ଖୁବ୍‌ ଅଳ୍ପ ଦିନ ଭିତରେ ବିଶେଷ ଭାବରେ ଜନାଭିମୁଖୀ ହୋଇପାରିଛି । ସାରା ବିଶ୍ୱର ଅଗଣିତ ପାଠକ ପାଠିକା ଏବେ ଯୋଡ଼ି ହୋଇଛନ୍ତି ଆମ ସହ, ଯାହା ଆମର ପରମ ସୌଭାଗ୍ୟ ନିଶ୍ଚୟ । ଆଗାମୀ ସମୟରେ ମଧ୍ୟ ‘କୋଶଳ ପ୍ରବାହ’ ତା’ର ଖବର ସେବା ପ୍ରଦାନ ଆହୁରି ବଳିଷ୍ଠ ଓ ପ୍ରସାରିତ ଭାବେ ଜାରି ରଖିବ । ଏଥିପାଇଁ ପାଠକ ପାଠିକା, ବିଜ୍ଞାପନଦାତା ତଥା ଶୁଭେଚ୍ଛୁମାନଙ୍କ ସହଯୋଗ ଓ ଶୁଭକାମନା ଆଶା କରାଯାଇଛି ।

Leave A Reply

Your email address will not be published.