
ପାଟଣାଗଡ଼ : ପାଟଣାଗଡ଼ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପାଟଣାଗଡ଼ ଥାନା ଘେରାଉ କଲା ବିଜେଡ଼ି । ପୂର୍ବତନ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମକର୍ତ୍ତା ଥାନା ଘେରାଉ କରିବା ସହ ଏସ୍ଡ଼ିପିଓଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବିଜେଡ଼ି ପକ୍ଷରୁ କୁହାଯାଇଛି ଯେ, ବିଗତ ଦିନ ମାନଙ୍କରେ ପାଟଣାଗଡ଼ ଉପଖଣ୍ଡରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଅପରାଧୀମାନଙ୍କର କାର୍ଯ୍ୟକଳାପ ଦିନକୁ ଦିନ ବଢ଼ି ଚାଲିଛି ଓ ପୁଲିସ ପ୍ରଶାସନ ପ୍ରତି ଅପରାଧୀମାନଙ୍କ ଆଦୌ ଭୟ ନାହିଁ । ନିକଟ ଅତୀତରେ ପଣ୍ଡାମୁଣ୍ଡା ପଞ୍ଚାୟତ ଅଂଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ବେଳେ ଏହି ଘଟଣା ସାରା ଅଂଚଳକୁ ସ୍ତବ୍ଧ କରି ପକାଇଛି । ଏହି ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛି ବିଜେଡ଼ି । ବିଗତ ଦିନ ମାନଙ୍କରେ ପାଟଣାଗଡ଼ ଉପଖଣ୍ଡରେ ଚୋରି ଡକାୟତି, ଦାଦନ ଚାଲାଣ, ହତ୍ୟା ଭଳି ଅପରାଧ ମାମଲା ବଢ଼ିଚାଲିଛି ଏବଂ ପାଟଣାଗଡ଼ ଉପଖଣ୍ଡ ଏବେ ଅପରାଧୀମାନଙ୍କ ଚରାଭୂଇଁ ପାଲଟିଛି । ଏଭଳି ଅବସ୍ଥାକୁ ଦୃଷ୍ଟିରେ ରଖି ପାଟଣାଗଡ଼ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ସହ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ କାବୁ କରିବା ପାଇଁ ଉଚିତ ପଦକ୍ଷେପ ନେବାକୁ ଦାବୀ କରାଯାଇଛି ।