jayashree

ଶ୍ରମଶକ୍ତି ମହାବିଦ୍ୟାଳୟରେ ଆନ୍ତଃ ବିଦ୍ୟାଳୟ ସାଇବର ସୁରକ୍ଷା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ସ୍ଥିତ ଶ୍ରମଶକ୍ତି ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଭାରତୀୟ ରେଡ଼କ୍ରସ୍ ଓଡ଼ିଶା ଶାଖାର ସହାୟତାରେ ଏକ ଆନ୍ତଃ ବିଦ୍ୟାଳୟ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ ସୁମନ୍ତ କୁମାର ଦ୍ୱିବେଦୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସାଇବର ସୁରକ୍ଷା ସମ୍ପର୍କରେ ଅଧିକ ମାର୍ଗଦର୍ଶନ ଦେବା ପାଇଁ ବିଷୟ ବିଶେଷଜ୍ଞ ଭାବେ ଏସଡିପିଓ ପୁଷ୍ପେନ୍ଦୁ ସାଗର, ବୀରମିତ୍ରପୁର ଥାନା ପ୍ରଭାରୀ ଦିନେଶ କୁମାର ପଟ୍ଟା, ସବ୍ ଇନ୍ସପେକ୍ଟର ଚକ୍ରଧର ହାଁସଦା, ହାତୀବାରି ଥାନା ପ୍ରଭାରୀ ଗୀତାଞ୍ଜଳୀ ମିର୍ଦ୍ଧା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସହାୟକ ପ୍ରବନ୍ଧକ ରୋହିତ ଝା ପ୍ରମୁଖ ଯୋଗଦେଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରମଶକ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ସିଂ ସଭାପତିତ୍ୱ କରିଥିଲାବେଳେ ଅଧ୍ୟାପକ ବିନୋଦ ବିହାରୀ ବରାଳ ମଞ୍ଚ ସଂଯୋଜନା ଓ ବରିଷ୍ଠ ସଂଯୋଜକ କୁଲଦୀପ ସୋରେଙ୍ଗ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଯୁବ ରେଡକ୍ରସର ମହିଳା ସଂଯୋଜିକା ଅମିତା ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ସଂଯୋଜକ ଅଧ୍ୟାପକ ପ୍ରବୀନ ବାରା, ଅଧ୍ୟାପିକା ସୁପ୍ରଭା ଧଳଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିବାରୁ ଅଧ୍ୟକ୍ଷ ଶ୍ରୀ ସିଂ ଯୁବ ରେଡକ୍ରସର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଦେଇଥିଲେ ।

Leave A Reply

Your email address will not be published.