ଶାଶୁଘର ଯିବା ବଦଳରେ ଆରପାରିକୁ ଚାଲିଗଲେ ନବବଧୂ

ସୁବ‌ର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଧୁମ୍‌ଧାମରେ ସରିଲା ବାହାଘର । ବଂଧୁ ବାଂଧବ, ସାହି ଭାଇ‌ଙ୍କ ଉପସ୍ଥିତିରେ ବାହାଘର ଜମିଲା । ବାପଘରୁ ଝିଅକୁ ବିଦା କରିବା ପାଇଁ ସବୁ ପ୍ରସ୍ତୁତି ସରି ଯାଇଥିଲା । ସେପଟେ ବରଘର ମଧ୍ୟ ଝିଅକୁ ନେବା ପାଇଁ ସମସ୍ତ ପ୍ରକ୍ରିୟା ସାରି ଦେଇଥିଲେ । ହେଲେ ଶାଶୁଘର ଯିବା ବଦଳରେ ଆରପାରିକୁ ଚାଲିଗଲେ ନବବଧୂ ।

ସୂଚନା ଅନୁସାରେ ଝିଅକୁ ବିଦା କରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ ବାପା-ମା’ । ତଥାପି ଦୁଃଖକୁ ମନରେ ଚାପି ଧରି ଝିଅର ନୂଆ ସଂସାର ପାଇଁ ଭଗବାନଙ୍କ ପାଖେ ମଙ୍ଗଳ ମନାସୁ ଥିଲେ । କିନ୍ତୁ ବାପା-ମା’ଙ୍କ ବିଚ୍ଛେଦ ସହି ପାରିଲାନି ଅଳିଅଳି ଝିଅ । କାନ୍ଦି କାନ୍ଦି ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲା ଆରପାରିକୁ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ । ସୂଚନା ଅନୁଯାୟୀ, ବିନିକା ଥାନା ଜୁଲୁଣ୍ଡା ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ଗତକାଲି ଏହି ଗାଁର ଜଣେ ଝିଅଙ୍କ ବାହାଘର ଥିଲା । ବଲାଙ୍ଗିର ଜିଲ୍ଲା ତେତେଲଗାଁର ଯୁବକଙ୍କ ସହ ଝିଅର ବାହାଘର ହୋଇଥିଲା । ବାହାଘର ସରିଲା । ଭୋଜିଭାତ ବି ସରିଲା । ଆଜି ସକାଳୁ ଝିଅ ବିଦା ହେବ । ରୀତିନୀତି ସରିବା ପରେ ଆସିଥିଲା ସେହି ଦୁଃଖଦ ମୁହୂର୍ତ୍ତ- ଝିଅବିଦା । ବାପା-ମା’ କାନ୍ଦୁଥିଲେ।ଝିଅ ବି କାନ୍ଦୁଥିଲା । ଏତିକି ବେଳେ ହଠାତ୍‌ ଝିଅ ଅଚେତ ହୋଇ ପଡ଼ିଲା । ପାଣି ଛିଞ୍ଚାଛିଞ୍ଚି କଲେ । ଅଥଚ ଆଉ ଚେତା ଫରି ନ ଥିଲା ଝିଅର। ଚେତା ଫେରିବାରେ ବିଳମ୍ବ ହେବାରୁ ଡରିଗଲେ ପରିବାର ଲୋକ । ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଝିଅକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣା ପରେ ସାରା ଗାଁରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

3 × two =