ମୋ ଉପଚାରୀ ବଗିଚା ଯୋଜନାରେ କାମ ଆରମ୍ଭର ୪ ମାସ ପରେ ମଧ୍ୟ ପାରିଶ୍ରମିକ ନ ମିଳିବା ନେଇ ବିଡ଼ିଓଙ୍କୁ ଅଭିଯୋଗ କରିବାର ୨ ସପ୍ତାହ ବିତିଲା : ଆକାଉଣ୍ଟରେ ପଡିନି ପାରିଶ୍ରମିକ ଟଙ୍କା, ବୃଦ୍ଧି ପାଉଛି ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାରଙ୍କ ମୋ ଉପଚାରୀ ବଗିଚା ଯୋଜନାରେ ଦେଓଗାଁ ବ୍ଲକ ଗୌଡ଼ଗୋଠ ପଞ୍ଚାୟତର ୧୫୦ଜଣ ନାମ ପଞ୍ଜିକରଣ କରିଥିଲେ । ସୋମନଙ୍କ ମଧ୍ୟରୁ ୬୦ରୁ ୭୦ଜଣ ହିତାଧିକାରୀ ଗତ ଜୁଲାଇ ମାସରେ ନିଜ ନିଜ ଜମିରେ ନିୟମ ହିସାବରେ ଚାଷ କରିଛନ୍ତି । କିନ୍ତୁ କାମ ଆରମ୍ଭ କରିବାର ଦୀର୍ଘ ୩ରୁ ୪ମାସ ପୂରି ଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଆକାଉଣ୍ଟରେ ପଇସା ପଡ଼ିନାହିଁ । କରୋନା ଯୋଗୁଁ ସବୁ କାମ ଧନ୍ଦା ବନ୍ଦ‌ ହୋଇ ଯାଇଥିବା ବେଳେ ନିଜେ ମାଟି ଖୋଳି କାମ କରିବା ପରେ ମଧ୍ୟ ପାଉଣା ପାଉନାହାନ୍ତି । ଏଭଳି ଅଭିଯୋଗ ନେଇ ସେମାନଙ୍କ ପାଉଣା ପାଇବାର ବ୍ୟବସ୍ଥା କରିବାକୁ ଲୋକ ଉନ୍ନତି ସଂଗଠନ ପକ୍ଷରୁ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗତ ୪ତାରିଖ ଦିନ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ କରିବାର ୭ଦିନ ମଧ୍ୟରେ ସେମାନଙ୍କୁ ପାଉଣା ବା ପାରିଶ୍ରମିକ ନ ହେଲେ ବାଧ୍ୟ ହୋଇ ଜିଲ୍ଲାପାଲଙ୍କ ନିକଟରେ ଦ୍ୱାରସ୍ଥ ହେବାକୁ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ କରିବାର ପ୍ରାୟ ୨ ସପ୍ତାହରୁ ଅଧିକ ହେବା ସତ୍ତ୍ୱେ ସେମାନଙ୍କ ଟଙ୍କା ପଡ଼ିନାହିଁ । ଯାହାଫଳରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ମାସ ୨୦ ତାରିଖରେ ବ୍ଲକ ସମୀକ୍ଷା ବୈଠକରେ ଜିଲ୍ଲାପାଳ ମୋ ଉପଚାରୀ ବଗିଚାକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ଠିକ୍ ସମୟରେ ତାଙ୍କ ପାରିଶ୍ରମିକ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥଲେ । କିନ୍ତୁ ଏଥିରେ ବ୍ୟତିକ୍ରମ କରି କାମର ଦୀର୍ଘ ୩ରୁ ୪ମାସ ପରେ ମଧ୍ୟ ପାରିଶ୍ରମିକ ମିଳିନାହିଁ । ଏଣୁ ମୋ ଉପଚାରୀ ବଗିଚାରେ ହିତାଧିକାରୀଙ୍କୁ ଉଚିତ ପାରିଶ୍ରମିକ ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.