ନେମାଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ : ଉତ୍କଳ ସାମ୍ବାଦିକ ସଂଘ ଆନ୍ଦୋଳନକୁ ଓହ୍ଲାଇବ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ସାଲେପୁର ସ୍ଥିତ ନେମାଳରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଘଟଣାରୁ ଜଣାପଡିଛି କି, ସଂପୃକ୍ତ ଅଭିଯୁକ୍ତ ଦ୍ଵୟ ଅଭ୍ୟାସଗତ ଅପରାଧୀ । ଏମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଏଥିପୂର୍ବରୁ ସ୍ଥାନୀୟ ସାମ୍ବାଦିକ ବିନୟ କୁମାର ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ମଧ୍ୟ ସ୍ଥାନୀୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଅପର ପକ୍ଷରେ ସଂପୃକ୍ତ ଅଭିଯୁକ୍ତଠାରୁ ହରିଜନ ଆକ୍ଟ୍ରସିଟି ଆଧାରରେ ସାମ୍ବାଦିକଙ୍କ ବିରୋଧରେ ଅନ୍ୟ ଏକ ଏତଲା ରଖି ସ୍ଥାନୀୟ ପୋଲିସ ଉଭୟଙ୍କୁ ଥାନାରୁ ଜାମିନ ଦେଇଥିଲା । ଅଭିଯୁକ୍ତମାନେ ସେ ଅଞ୍ଚଳର ଜଣାଶୁଣା ବାଲି ମାଫିଆ ଭାବେ ପରିଚିତ । ବିଭିନ୍ନ ସଙ୍ଗୀନ ଅପରାଧରେ ଜଡ଼ିତ ରହୁଥିବା ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଇ ସେମାନଙ୍କ ମନୋବଳ ବଢ଼ାଇବା ଘଟଣାରେ ସ୍ଥାନୀୟ ପୋଲିସର କାର୍ଯ୍ୟ ଶୈଳୀ ନେଇ ସନ୍ଦେହ ସୃଷ୍ଟି କରୁଛି । ସଂପୃକ୍ତ ଅଭିଯୁକ୍ତମାନେ ଘଟଣା ଦିନ ଥାନାକୁ ଆସିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ ନକରି ଛାଡ଼ି ଦେଇଥିଲା । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ସ୍ଥାନୀୟ ସାମ୍ବାଦିକଙ୍କ ପକ୍ଷରୁ ନେମାଳ ଥାନା ଆଗରେ ଆଜି ଧାରଣା ଦିଆଯାଇଥିଲା । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଦ୍ଵୟଙ୍କୁ ଉପଯୁକ୍ତ ଦଫାରେ ତୁରନ୍ତ ଗିରଫ କରାନଯାଏ ତେବେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନର ଆହ୍ୱାନ ଦିଆଯିବ ବୋଲି ରାଜ୍ୟ ସଭାପତି ବିଭୂତି ଭୂଷଣ କର ଘୋଷଣା କରିଛନ୍ତି ।

Leave A Reply

Your email address will not be published.

four × 1 =