jayashree

ଜେସିବି ଲଗାଇ ନଦୀରୁ ବାଲି ଚାଲାଣ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ବାଲି ମାଫିଆଙ୍କ ମନମାନି ଥମିବାର ନାଁ ଧରୁନି । ବାଲି ଉତ୍ତୋଳନ ପାଇଁ ସରକାରଙ୍କ କଡ଼ା ନିୟମ ଓ କଟକଣା ରହିଥିବା ସତ୍ତ୍ୱେ ଖୋଲାଖୋଲି ଚାଲିଛି ବାଲି ଚୋରା କାରବାର । ତାହା ପୁଣି ନଦୀ ବ୍ରିଜ୍‌ ନିକଟରୁ ଜେସିବି ମେସିନ୍‌ ଲଗାଇ ଦିନ ଦ୍ୱିପ୍ରହରରେ ହେଉଛି ବାଲି ଉତ୍ତୋଳନ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲାର ଝାରବନ୍ଧ ଓ ପାଇକମାଲ ବ୍ଲକ୍‌ ଅଞ୍ଚଳରୁ । ଅଭିଯୋଗ ଅନୁସାରେ, ଏହି ଦୁଇ ବ୍ଲକ୍‌ର ବିଭିନ୍ନ ନଦୀରୁ ପ୍ରତିଦିନ ଜେସିବି ମେସିନ୍‌ ସାହାଯ୍ୟରେ ବାଲି ଉଠାଯାଉଛି । ପରେ ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡ଼ିରେ ବାଲି ବୋଝେଇ କରି ଛତିଶଗଡ଼କୁ ଚୋରା ଚାଲାଣ କରାଯାଉଛି । ସବୁଠାରୁ ଚିନ୍ତାଜନକ କଥା ହେଉଛି, ନଦୀ ଉପରେ ଥିବା ବ୍ରିଜ୍‌ ନିକଟରୁ ଏଭଳି ଭାବେ ବାଲି ଉତ୍ତୋଳନ କରାଯାଉଛି । ନିୟମ ଅନୁଯାୟୀ ବାଲି ଉତ୍ତୋଳନ ପାଇଁ ନିର୍ଦ୍ଦିଷ୍ଟ ଅନୁମତି ଓ ସ୍ଥାନ ନିର୍ଦ୍ଧାରିତ ହୋଇଥାଏ । କିନ୍ତୁ ଏଠାରେ ସେହି ନିୟମ ପାଳନ ହେଉଛି ନା ନାହିଁ, ତାହା ଏବେ ବଡ଼ ପ୍ରଶ୍ନ । ବ୍ରିଜ୍‌ ନିକଟରୁ ଅବାଧରେ ବାଲି ଉଠାଣ ହେଲେ ନଦୀର ପ୍ରାକୃତିକ ସ୍ଥିତି ବିଗିଡ଼ିବା ସହ ବ୍ରିଜ୍‌ର ମୂଳଦୁଆ ଦୁର୍ବଳ ହେବାର ଆଶଙ୍କା ରହିଛି । ଫଳରେ ଆଗାମୀ ଦିନରେ ଯାତାୟାତ ଓ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇପାରେ । ତେବେ ଦିନ ଦ୍ୱିପ୍ରହରରେ ଏଭଳି କାରବାର ଚାଲିଥିବା ଅଭିଯୋଗ ସତ୍ତ୍ୱେ ମାଇନିଂ ବିଭାଗ ଓ ତହସିଲ ପ୍ରଶାସନ କାହିଁକି ନିରବ ? ବାଲି ଉତ୍ତୋଳନ ପାଇଁ ଅନୁମତି ରହିଛି ନା ମାଫିଆଙ୍କ ମନମାନିରେ ଚାଲିଛି କାରବାର ? ଏଭଳି ଅନେକ ପ୍ରଶ୍ନ ଏବେ ଅଞ୍ଚଳବାସୀଙ୍କ ମନରେ ଉଠୁଛି । ବିଶେଷ କରି ଜୀରା ନଦୀରୁ ବାଲି ଉତ୍ତୋଳନ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ବେଆଇନ କାରବାର ହେଉଥିଲେ ତୁରନ୍ତ ବନ୍ଦ କରିବା ଏବଂ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଦାବି ହେଉଛି । ଏବେ ଅପେକ୍ଷା, ବାଲି ମାଫିଆଙ୍କ ଏହି କଥିତ କାରବାର ଉପରେ ମାଇନିଂ ଓ ତହସିଲ ପ୍ରଶାସନ କେବେ ନଜର ପକାଉଛି ଏବଂ କେବେ ହେଉଛି ଠୋସ୍‌ କାର୍ଯ୍ୟାନୁଷ୍ଠାନ ।

Leave A Reply

Your email address will not be published.