
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାପାଳ ଗୁଡଭେଲା ଠାରେ ଆୟୋଜିତ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣିରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡିକର ନିରୀକ୍ଷଣ କରିଥିଲେ । ଗୁଡଭେଲା ପଞ୍ଚାୟତ ସମିତି ବୈଠକ ଗୃହରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ଉପସ୍ଥିତ ରହି ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ । ଏହି ଶିବିରରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଦାଖଲ ହୋଇଥିବା ଅଭିଯୋଗ ପତ୍ରଗୁଡ଼ିକ ଯଥାଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଏହି ଶିବିରରେ ମୋଟ ୪୩ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା । ତନ୍ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ୩୬ଟି ଏବଂ ୭ଟି ସାମୁହିକ ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥିରୁ ୧୧ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଗୁଡଭେଲା ଚିକିତ୍ସାଳୟ ଗସ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ରର ବହିର୍ବିଭାଗ (ଓପିଡ଼ି) ଓ ଅନ୍ତର୍ବିଭାଗ ପରିଦର୍ଶନ ପୂର୍ବକ ରୋଗୀଙ୍କ ସ୍ୱାସ୍ଥ୍ୟ ସେବା, ମାଗଣା ଔଷଧ ଯୋଗାଣ ବ୍ୟବସ୍ଥା ଓ ପରିସରର ସ୍ୱଚ୍ଛତାର ସମୀକ୍ଷା କରିଥିଲେ । ତେନ୍ତୁଳିଖୁଣ୍ଟି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସହ ଶୈକ୍ଷିକ ଆଲୋଚନା କରିଥିଲେ । ସେ ସ୍କୁଲର ଭିତ୍ତିଭୂମି, ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନଗାର, ପାଠାଗାର, ଛାତ୍ରବାସ ଓ ଛାତ୍ରୀବାସ ଗୁଡିକ ବୁଲି ନିରୀକ୍ଷଣ କରି ଯଥା ଶୀଘ୍ର କାମ ଗୁଡିକ ସଂପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
