ସେପ୍ଟେମ୍ବର ୧୫ରେ ସହରାଞ୍ଚଳ ଭିତ୍ତିଭୂମି ସହ ଜଡିତ ବିହାରର ୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ସହରାଞ୍ଚଳ ଭିତ୍ତିଭୂମି ସହ ଜଡ଼ିତ ବିହାରର ୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୫ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିବେ । ଏଥିରେ ଚାରିଟି ଜଳଯୋଗାଣ ପ୍ରକଳ୍ପ, ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ରକଳ୍ପ ଓ ଗୋଟିଏ ରିଭରଫ୍ରଣ୍ଟ ବିକାଶ ପ୍ରକଳ୍ପ ସାମିଲ ରହିଛି । ପ୍ରକଳ୍ପଗୁଡ଼ିକରେ ୫୪୧ କୋଟି ଟଙ୍କା ବିନିଯୋଗ ହେବ । ବିହାରର ନଗର ଉନ୍ନୟନ ଓ ନିର୍ମାଣ ବିଭାଗ ଅଧୀନ ବିଡକୋ ଏସବୁ ପ୍ରକଳ୍ପର କାର୍ୟ୍ୟାନ୍ୱୟନ କରିବ । ଉଦଘାଟନ ଓ ଶିଳାନ୍ୟାସ କାର୍ୟ୍ୟକ୍ରମ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ବିସ୍ତୃତ ବିବରଣୀ
ପାଟନା ମହାନଗର ନିଗମ ଅଧୀନ ବେଉର ଓ କର୍ମାଲିଚକରେ ନମାମି ଗଙ୍ଗେ ଯୋଜନାରେ ନିର୍ମିତ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦ୍ଘାଟନ କରାଯିବ । ସିୱାନ ପୌର ପରିଷଦ ଓ ଛପରା ପୌର ପରିଷଦ ଅଞ୍ଚଳରେ ଅମୃତ ଯୋଜନାରେ ନିର୍ମିତ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ ହେବ । ଏହି ଦୁଇ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଲୋକେ ୨୪ ଘଣ୍ଟା ଶୁଦ୍ଧ ପାନୀୟ ଜଳ ପାଇପାରିବେ ।
ମୁଙ୍ଗେର ମହାନଗର ନିଗମରେ ଅମୃତ ଯୋଜନାରେ ମୁଙ୍ଗେର ଜଳଯୋଗାଣ ଯୋଜନାର ଶିଳାନ୍ୟାସ କରାଯିବ । ଏହି ପ୍ରକଳ୍ପ ଦ୍ୱାରା ମହାନଗର ନିଗମ ବାସିନ୍ଦାଙ୍କୁ ପାଇପ ପାଣି ଯୋଗାଣ କରାଯିବ । ସେହିପରି ଜମାଳପୁର ପୌର ପରିଷଦରେ ଅମୃତ ଯୋଜନା ଅନ୍ତର୍ଗତ ଜମାଳପୁର ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ ହେବ ।
ନମାମି ଗଙ୍ଗେ ଯୋଜନା ଅନ୍ତର୍ଗତ ମୁଜାଫରପୁର ରିଭର ଫ୍ରଣ୍ଟ ବିକାଶ ଯୋଜନାର ଶିଳାନ୍ୟାସ କରାଯିବ । ଏହି ଯୋଜନାରେ ମୁଜାଫରପୁର ସହରର ତିନି ଘାଟ (ପୂର୍ବ ଆଖଡ଼ା ଘାଟ, ସିଧି ଘାଟ ଓ ଚନ୍ଦବାରା ଘାଟ)ର ବିକାଶ କରାଯିବ । ଶୌଚାଳୟ, ସୂଚନା କିଓସ୍କ, ଚେଞ୍ଜିଂ ରୁମ, ପାଥୱେ, ୱାଚ ଟାୱାର ଭଳି ମୌଳିକ ସୁବିଧା ରିଭରଫ୍ରଣ୍ଟରେ ଉପଲବ୍ଧ ହେବ । ଏହି ଘାଟଗୁଡ଼ିକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା, ସାଇନେଜ ଓ ପର୍ୟ୍ୟାପ୍ତ ଆଲୋକ ବ୍ୟବସ୍ଥା କରାଯିବ । ରିଭର ଫ୍ରଣ୍ଟ ବିକାଶ ଦ୍ୱାରା ପର୍ୟ୍ୟଟନକୁ ପ୍ରୋତ୍ସାହନ ମିଳିବା ସହ ଆଗାମୀ ଦିନରେ ଏହା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ।

Leave A Reply

Your email address will not be published.