ଆର୍ଜିପଲ୍ଲୀ ହାଇସ୍କୁଲର ବରିଷ୍ଠ ପ୍ରଧାନ ଶିକ୍ଷକ ସନ୍ତୋଷ ପ୍ରଧାନଙ୍କ ବିୟୋଗରେ କେଣ୍ଡେଲ ଶୋଭାଯାତ୍ରା

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଉପକୂଳବର୍ତ୍ତୀ ଅଞ୍ଚଳ ଆର୍ଜିପଲ୍ଲୀ ହାଇସ୍କୁଲରେ ପ୍ରାୟତଃ ୨୮ ବର୍ଷ ହେଲା ପ୍ରଧାନଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିବା ବରିଷ୍ଠ ପ୍ରଧାନଶିକ୍ଷକ ସନ୍ତୋଷ ପ୍ରଧାନଙ୍କର ତାଙ୍କ ଛତ୍ରପୁରସ୍ଥ ବାସଭବନରେ ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ସେ ଗତ ବୁଧବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ହଠାତ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା । ତାଙ୍କର ଦୁଇଟି ଝିଅ ଓ ପତ୍ନୀ ଅଛନ୍ତି । ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଓ ମେଳାପୀ ଥିଲେ । ତାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ସମଗ୍ର ଆର୍ଜିପଲ୍ଲୀ ଅଞ୍ଚଳ ଓ ଉକ୍ତ ବିଦ୍ୟାଳୟ ପାଇଁ ଘୋର କ୍ଷତି ଘଟିଛି ବୋଲି କୁହାଯାଇଛି । ଗୁରୁବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳଙ୍କ ବାସଭବନରୁ ସହର ପରିକ୍ରମା ହୋଇ ତାଙ୍କ ବାସଭବନ କାରିଣୀସାହି ପର୍ଯ୍ୟନ୍ତ ଏକ କେଣ୍ଡେଲ ଶୋଭାଯାତ୍ରା ବାହାରିଥିଲା । ଉକ୍ତ ଶିକ୍ଷାନୁଷ୍ଠାନର ବର୍ତ୍ତମାନ ଓ ପୂର୍ବତନ ଛାତ୍ରମାନେ ଏହି ରାଲିରେ ଅଂଶଗ୍ରହଣ କରି ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.