୭୫ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ଜାତୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ କେବଳ ପୋଲିସ ବାହିନୀ ପ୍ୟାରେଡ୍‌ର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ସହିଦ ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଘେଁସ ଜମିଦାର ସହିଦ ମାଧୋ ସିଂଙ୍କ ପରିବାରର ଦେଶ ମାତୃକାର ସ୍ୱାଧୀନତା ପାଇଁ ବଳିଦାନ ଏକ ବିରଳ ଦୃଷ୍ଟାନ୍ତ ବରଗଡ଼ ମାଟିକୁ ଗୌରବାନ୍ୱିତ କରିଛି । ଏହାର ସାଂସ୍କୃତିକ ଐତିହ୍ୟ ଏହାକୁ ଆନ୍ତର୍ଜାତିକ ସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି କହିଥିଲେ । ଗତ କୋଭିଡ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ୧୭ ଜଣ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଜିଲ୍ଲା ଏସ୍‌ପି ରାହୁଲ ଜୈନ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଗୁଡ଼ିକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ । ସ୍ୱାଧୀନତା ଦିବସ ଅବସରରେ ଆଜି ସକାଳୁ ରାମଧୂନ ସହର ପରିକ୍ରମା କରିଥିଲେ । ସେହିପରି ସକାଳ ୭ଟା ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ଗାନ୍ଧୀ ଛକଠାରେ ଥିବା ମହାତ୍ମାଗାନ୍ଧୀ, ବୀର ସୁରେନ୍ଦ୍ର ସାଏ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ମୁଖ୍ୟ ଡାକ୍ତରଖାନାରେ ଫଳ ବଣ୍ଟନ କରିଥିଲେ ।

Leave A Reply

Your email address will not be published.