କଂଟାବାଂଜି ଏନ୍‌ଏସି ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ରେଲୱେ ଷ୍ଟାଡିୟମରେ ପାଳିତ

  • ମରଣୋତ୍ତର ଦୁଇ ପୋଲିସ ସହ ଆଙ୍ଗନୱାଡି କର୍ମୀ, ସ୍ୱଛତା ସୁପରଭାଇଜର, ଭେକ୍ସିନ ଟିକାକାରୀ, ମେଡିକାଲ ସୁପରଭାଇଜର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ

କଂଟାବାଂଜି, (ମନୀଷ କୁମାର ହଂସ) : କଂଟାବାଂଜି ଏନ୍‌ଏସି ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ସ୍ଥାନୀୟ ରେଲୱେ ଷ୍ଟାଡିୟମରେ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଏନ୍‌ଏସିର ପୂର୍ବ ପ୍ରସ୍ତୁତି ବୈଠକ ମୁତାବକ ନିର୍ଦ୍ଧିଷ୍ଟ ସଂଖ୍ୟକଙ୍କ ଉପସ୍ଥିତିରେ ଜାତୀୟ ପର୍ବ ପାଳିତ ହୋଇଥିବା ବେଳେ ଚଳିତ ବର୍ଷ ୭୫ତମ ସ୍ୱାଧୀନତା ଦିବସରେ ମଧ୍ୟ ସହରରେ ଥିବା କୌଣସି ଶିକ୍ଷାନୁଷ୍ଠାନକୁ ସାମିଲ ହେବାରୁ ବାରଣ କରାଯାଇଥିଲା । କେବଳ ସ୍ଥାନୀୟ ପୋଲିସ ପର୍ସନାଲ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଆଙ୍ଗନବାଡି କର୍ମୀ, ସ୍ୱଛତା କର୍ମୀ, ହାତ ଗଣତି କିଛି ସାମ୍ବାଦିକ ତଥା ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତକା ଉତ୍ତେଳନ କରି ରାଷ୍ଟ୍ର କେ ନାମ ସଂଦେଶରେ କରୋନା ମହାମାରୀ ସମସ୍ତଙ୍କ ଜୀବନ ଜୀବିକାକୁ ଉଜାଡି ଦେଇଥିବା ବେଳେ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ଏବଂ ଜାତୀୟ ପର୍ବକୁ ମଧ୍ୟ ଛଡେଇ ନେଇଛି ।

ଯାହା କଂଟାବାଂଜି ନୁହେଁ ସାରା ଦେଶରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଆଜି ଯେଉଁମାନେ ଏହି ଘଡିସନ୍ଧି ମୁହୁର୍ତରେ ନିଜର ସୁରକ୍ଷା ତଥା ଦେଶବାସୀଙ୍କ ସୁରକ୍ଷା ପାଇଁ ପରୋକ୍ଷ ଓ ପ୍ରତ୍ୟେକ୍ଷରେ ନିଜକୁ ସାମିଲ କରିଛନ୍ତି ସେମାନଙ୍କୁ ସେଲୁଟ କରୁଛି ବୋଲି କହିଛନ୍ତି । ଏନ୍‌ଏସିର ପରମ୍ପରା ଅନୁସାରେ ଗତ ୨୦୨୦ ଅଗଷ୍ଟରୁ ୭୫ତମ ସ୍ୱାଧୀନତା ଦିବସ ପାଳନରେ ସହରର ଗର୍ବ ଓ ଗୌରବ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା କରୋନା ମହାମାରୀ ଛଡାଇ ନେଇଥିଲେ ବି କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି । କଂଟାବାଂଜି ଥାନାରେ କାର୍ଯ୍ୟରତ ଥିବା ଏଏସ୍‌ଆଇ ଭାଗବତ ପ୍ରସାଦ ସା ଓ ଗ୍ରାମରକ୍ଷୀ ଦୈତାରୀ ଛୁରା କରୋନା ମହାମାରୀ ସମୟରେ ନିଜର ସେବା ଯୋଗାଇ ମୃତ୍ୟୁ ବରଣ କରିଥିବାରୁ ମରଣୋତ୍ତର କରୋନା ଯୋଦ୍ଧା ସମ୍ମାନକୁ ସ୍ଥାନୀୟ ଆଇଆଇସି ସତ୍ୟଜିତ କନ୍ଧନକେଲ ମୁଖ୍ୟ ଅତିଥି ସାଲୁଜାଙ୍କଠାରୁ ଗ୍ରହଣ କରିଛନ୍ତି । ସେହିପରି ସହରର ୨୬ଟି ଆଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟ ସୁପରଭାଇଜର ଉମାଦିନି ସାଗର, ସ୍ୱଛତା ସୁପରଭାଇଜର ଗୀତାଞ୍ଜଳି ସାହୁ, ୮ଜଣ ଭେକ୍ସିନ ଟୀକାକାରୀଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ବର୍ଦ୍ଧିତ କରି ମାନପତ୍ର ଓ ଉପଢୌକନ ଦେବା ସହ ହକି ଷ୍ଟିକକୁ ଗୋଟିଏ ଆଂଗୁଠିରେ ଛିଡା କରି ଗିନିଜ ବୁକ୍‌ରେ ବିଶ୍ୱ ରେକର୍ଡ କରିଥିବା ରାଜ ଗୋପାଲ ଭୋଇଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଗତ ୨୦୨୦ ଓ ୨୦୨୧ ମସିହାର କରୋନା ମହାମାରୀ ସମୟରେ ସହରର ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧିମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ କର୍ତବ୍ୟ ସଂପାଦନ କରି ଆସିଥିଲେ । ହେଲେ କୌଣସି ଜଣେ ଯୋଗ୍ୟ ପ୍ରତିନିଧିଙ୍କୁ ମଧ୍ୟ ଏନ୍‌ଏସି ତରଫରୁ ଗତ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ କିମ୍ବା ଚଳିତ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ନ କରିବାରୁ କଂଟାବାଂଜିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସମ୍ମାନ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି । ଏହି ଦିବସ ପାଳନରେ ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଏସି ନିର୍ବାହୀ ଅଧିକାରୀ ସାମ୍ମି ରେଡ୍ଡି ଜୟଶ୍ରୀ, ସ୍ଥାନୀୟ ପୋଲିସ ଏସ୍‌ଡିପିଓ ଡଃ ହୃଷିକେଶ ମେହେର ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିବା ବେଳେ କଂଟାବାଂଜି କେ.ଭି. କଲେଜ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ସଭା ପରିଚାଳନା ଏବଂ ଏନ୍‌ଏସି ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.