କେନାଲରେ ପାଣି ଆସୁନାହିଁ : ମରୁଡି ଚିନ୍ତା ଘାରିଛି ଚାଷୀମାନଙ୍କୁ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପ୍ରତିବର୍ଷ ମରୁଡିର ଶିକାର ହୋଇଆସୁଛି । ଚଳିତ ବର୍ଷ ଚାଷୀ ଅନେକ ମେହେନତ୍ କରି ଧାନ ଚାଷ କରିଥିଲେ । କିଛି ଦିନ ହେଲା ପାଣିପାଗ ବିଭାଗ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଥିଲେ ବି ବର୍ଷାର ଦେଖାନାହିଁ । ଚାଷୀ ବର୍ଷା ହେବା ନେଇ ଆକାଶକୁ ଅନାଇ ବସିଥିଲେ । କିନ୍ତୁ ବର୍ଷାର ଦେଖା ମିଳିଲା ନାହିଁ ଗତ ୧ତାରିଖ ଠାରୁ ଆଗଲପୁର ବ୍ଲକରେ ବର୍ଷା ହୋଇନାହିଁ । ସେପଟେ ଚାଷୀମାନେ ଉଠା ଜଳସେଚନ କରି ଚାଷ କରିଛନ୍ତି, ହେଲେ ଗତ ବନ୍ୟାରେ ରିନବଚନ ବଣ୍ଡାବାହାଲ ବାଗଝୁଲା ଗ୍ରାମରେ ସବୁ ମୋଟର ପୋଡ଼ିଯାଇଛି ଓ କେଉଁଠି ବିଦ୍ୟୁତ ତାରଗୁଡିକ ଭାସି ଯାଇଛି । ସୂଚନାଯୋଗ୍ୟ ଯେ, ଉକ୍ତ ଗ୍ରାମ ମଧ୍ୟରୁ ରିନବଚନକୁ ହୀରାକୁଦରୁ କେନାଲ ଆସିଛି ସତ, ହେଲେ ପାଣି ଟିକିଏ ମଧ୍ୟ ଆସୁନାହିଁ । କେନାଲ କର୍ମଚାରୀମାନଙ୍କ ଦେଖା ମିଳୁନାହିଁ । ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାର କେନାଲ ମରାମତି କରୁଛନ୍ତି, ହେଲେ ପାଣି ଆସୁନାହିଁ । ମରୁଡି ଭୟରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏଣୁ ପୋଡି ଯାଇଥିବା ମୋଟର ବଦଳରେ ନୂତନ ମୋଟର ଯୋଗାଇ ଦେବା ଓ କେନାଲରେ ପାଣି ଛାଡିବାକୁ ଚାଷୀମାନେ ଦାବୀ କରୁଛନ୍ତି । ଦାବୀ ପୂରଣ ନ ହେଲେ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.