୫୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା, ଉଦଘାଟିତ ହେଲା ପଶ୍ଚିମ ଓଡିଶାର ସର୍ବ ବୃହତ ରେଲୱେ ଓଭର୍‌ ବ୍ରିଜ : ଭିଡ଼ିଓ କନ୍‌ଫରେ‌ନ୍ସିଂ ଜରିଆରେ ପାଖାପାଖି ୭୨ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଦୀର୍ଘ ଅର୍ଦ୍ଧ ଶତାବ୍‌ଦୀ ଧରି ଚାତକ ପରି ଅନେଇ ବସିଥିବା ଟିଟିଲାଗଡ଼ବାସୀଙ୍କ ସ୍ଵପ୍ନ ବାସ୍ତବିକ ରୂପ ନେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ସଫରେସିଂ ମାଧ୍ୟମରେ ରେଳ ଓଭର ବ୍ରିଜକୁ ସର୍ବ ସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ଏଥିପାଇଁ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ଅହରହ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଟିଟିଲାଗଡ଼ବାସୀଙ୍କ ସ୍ୱପ୍ନ ଏକ ପ୍ରକାର ସାକାର ହୋଇଛି । ଏହାକୁ ନେଇ ଟିଟିଲାଗଡ଼ବାସୀ ତଥା ଦଳ ମତ ନିର୍ବିଶେଷରେ ସମସ୍ତ ମହଲରେ ପ୍ରଶଂସା କରାଯାଇଛି। ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରଚେଷ୍ଟାରେ ତଥା ରାଜ୍ୟ ସରକାରଙ୍କ ଉଦ୍ୟମରେ ସମ୍ପୂର୍ଣ୍ଣ ହୋଇ ଥିବା ଏହି ଓଭର ବ୍ରିଜକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦଘାଟନ କରିଥିବାରୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଭିନ୍ନ ଭିନ୍ନ ସମୟରେ ପ୍ରେସ ଇସ୍ତାହାର ଦେଇ ଉନ୍ନୟନ କାର୍ୟ୍ୟକୁ ପ୍ରଶଂସା କରିଛନ୍ତି । ଟିଟିଲାଗଡ଼ ପୁଲିସ ଷ୍ଟେସନ ଛକରେ ଉଦଘାଟନୀ ଉତ୍ସବକୁ ସଫଳ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତଥା ଟିଟିଲାଗଡ଼ ପ୍ରଶାସନ ଦିନରାତି ଏକ କରି ସାଜସଜ୍ଜା କରିଥିଲେ । ଆଜି ନିର୍ଦ୍ଧାରିତ ସମୟରୁ ବିଳମ୍ବରେ ସନ୍ଧ୍ୟା ୬ ଟା ୧୫ ମିନିଟ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ସଫରେସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଷ୍ଟିଲ ଏବଂ ମାଇନ୍‌ନ୍ସ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଟିଟିଲାଗଡ଼ ବିଧାୟିକା ତଥା ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ସଂସାଦ ସଂଗୀତା କୁମାର ସିଂଦେଓ ପ୍ରମୁଖ ରହିଥିବା ବେଳେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ସାଂସଦ ସଙ୍ଗୀତ ସିଂଦେଓ ଟିଟିଲାଗଡର ରେଳ ଓଭର ବ୍ରିଜର ଉଦ୍ଘାଟନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ସହ ଟିଟିଲାଗଡର ପାଣି ସମସ୍ୟାକୁ ଯଥା ଶୀଘ୍ର ସମାଧାନ କରିବାକୁ ଓ କଣ୍ଟାବାଞ୍ଜିରେ ଭୂତଳ ପୋଲ ନିର୍ମାଣ କରିବାକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀଙ୍କୁ କହିଥିଲେ ।

ବଲାଙ୍ଗୀର ଜିଲ୍ଲାପାଲ ଚଞ୍ଚଳ ରଣା ଓ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମଧ୍ୟ ଟିଟିଲାଗଡବାସୀଙ୍କ ପାଇଁ ସ୍ବପ୍ନ, ରେଳ ଓଭର ବ୍ରିଜର ଉଦ୍ଘାଟନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ଟିଟିଲାଗଡବାସୀଙ୍କ ତରଫରୁ ଟିଟିଲାଗଡ ଠାରେ ତିଆର ହୋଇଥିବା ୫୦ ବର୍ଷର ସ୍ବପ୍ନ ରେଳ ଓଭର ବ୍ରିଜକୁ ଲୋକାର୍ପଣ କରିଥିବା ଯୋଗୁଁ ଧନ୍ୟବାଦ ଜ୍ଞାପନ କରିବା ସହ ଟିଟିଲାଗଡବାସୀଙ୍କୁ ରାଜ୍ୟ ସରକାରଙ୍କ ସହ ହାତରେ ହାତ ମିଶାଇ ଆଗକୁ ବଢିବା ପାଇଁ କହିଥିଲେ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ତାଙ୍କ ଜନ୍ମଭୂମିରେ ତିଆରି ହୋଇଥିବା ରେଳ ଓଭର ବ୍ରିଜ ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ଟିଟିଲାଗଡ ଥାନା ଛକ ଠାରୁ ଆରମ୍ଭ ହୋଇ ଡିଏଭି କଲେଜ ଖେଳ ପଡିଆ ନିକଟରେ ଶେଷ ହୋଇଥିବା ଏହି ଓଭର ବ୍ରିଜ ଦୀର୍ଘ ଏକ କିଲୋମିଟର ଯାଏ ଲମ୍ବି ରହିଛି । ୭୧.୫୯ କୋଟି ମଧ୍ୟରେ ରାଜ୍ୟ ସରକାରଙ୍କ ଅଂଶ ୩୮.୪୩ କୋଟି ଏବଂ ଭାରତୀୟ ରେଳ ବିଭାଗର ୩୩.୧୬ କୋଟି ଅଂଶଧନ ଅନ୍ତର୍ଭୁକ୍ତ । ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଆପ୍ରାଣ ଚେଷ୍ଟା ବଳରେ ବହୁ ବାଧାବିଘ୍ନକୁ ଅତିକ୍ରମ କରି ସଂପୂର୍ଣ୍ଣ ହୋଇଥିବା ଟିଟିଲାଗଡବାସୀଙ୍କ ବହୁ ଦିନର ସ୍ବପ୍ନ ରେଳ ଓଭର ବ୍ରିଜ ନିର୍ମାଣ କାର୍ୟ୍ୟ ଶେଷ ହୋଇ ଉଦଘାଟନ ହୋଇଛି । ଏହି ବ୍ରିଜଟି ବିଭିନ୍ନ ପ୍ରକାର ସମ୍ବଲପୁରୀ ସାଂସ୍କୃତିକ କଳାରେ ରଙ୍ଗେଇ ହୋଇ ସାଜସଜା ହୋଇଛି । ଟିଟିଲାଗଡ ସହରବାସୀ ମୁଖ୍ୟମନ୍ତ୍ରୀ ଓ ବିଧାୟିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହର ଭାବେ ଟିଟିଲାଗଡ଼ର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ରେଳପଥ ଓ ସଡ଼କ ପଥ ମାଧ୍ୟମରେ ଟିଟିଲାଗଡ଼ ସହରର ଭାରତର ପ୍ରମୁଖ ସହରମାନଙ୍କ ସହିତ ଯୋଗାଯୋଗ ରହିଛି । ଭାରତର ପ୍ରମୁଖ ସହରମାନଙ୍କୁ ସଂଯୋଗ କରୁଥିବା ଝାରସୁଗୁଡ଼ା-ବିଜୟ ନଗରମ୍‌ ଲାଇନ୍‌ ଓ ରାୟପୁର-ବିଜୟ ନଗରମ୍‌ ଲାଇନ୍‌ ମଧ୍ୟରେ ଥିବା ଟିଟିଲାଗଡ଼ ଜଂକ୍‌ସନ୍‌ ଏକ ବ୍ୟସ୍ତ ବହୁଳ ରେଳ ଷ୍ଟେସନ । ଟିଟିଲାଗଡ଼ ସହର ମଧ୍ୟ ଦେଇ ଯାଇଥିବା ରେଳ ଲାଇନ୍‌ର ଲେଭେଲ୍‌ କ୍ରସିଂ ନଂ.ଏଲ୍‌ସି୧୫୯ ଟିଟିଲାଗଡ଼ ସହରର ଏକ ଘନ ଜନବସତି ଅଂଚଳରେ ଅବସ୍ଥିତ । ଗୋପାଳପୁରରୁ ରାୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନଂ.୫୯ ମଧ୍ୟ ଟିଟିଲାଗଡ଼ ସହର ମଧ୍ୟ ଦେଇ ଯାଇଛି, ଯାହାକି ଲେଭେଲ୍‌ କ୍ରସିଂ ନଂ.ଏଲ୍‌ସି୧୫୯ ଠାରେ ମଧ୍ୟ ସଂଯୋଗ କରିଛି । ଟିଟିଲାଗଡ଼ ସହର ବ୍ୟତୀତ ଆଖପାଖ ସହର ଯଥା- କେସିଙ୍ଗା, ଭବାନୀପାଟଣା, ନୂଆପଡ଼ା ସହରର ଲୋକମାନେ ମଧ୍ୟ ଏହି ରାସ୍ତା ଉପରେ ଗମନାଗମନ ପାଇଁ ନିର୍ଭର କରିଥା’ନ୍ତି । ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଖରା ସମୟରେ ଜନସାଧାରଣ, ରୋଗୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀମାନେ ଏହି ଲେଭେଲ୍‌ କ୍ରସିଂ ଠାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସେମାନଙ୍କୁ ବହୁ କଷ୍ଟଦାୟକ ହେଉଥିଲା । ଜାତୀୟ ରାଜପଥ ନଂ.୫୯ର ଚେନ୍‌ଏଜ୍‌ ୪୬/୨୦୦ରୁ ୪୭/୩୦୦ ମଧ୍ୟରେ ଥିବା ଲେଭେଲ୍‌ କ୍ରସିଂ ନଂ.୧୫୯ ଠାରେ ଗମନାଗମନର ସୁବିଧା ନିମନ୍ତେ ଏକ ରେଳ ଓଭର୍‌ ବ୍ରିଜ୍‌ ନିର୍ମାଣ କରିବା ନିମନ୍ତେ ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଥିଲା । ଏହି ରେଳ ଓଭର୍‌ ବ୍ରିଜ୍‌ ହେବା ଦ୍ୱାରା ଟିଟିଲାଗଡ଼, ଭବାନୀପାଟଣା, କେସିଙ୍ଗା ଓ ନୂଆପଡ଼ାର ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇପାରିବେ । ଏହି ଓଭର୍‌ ବ୍ରିଜ୍‌ ହେବା ଦ୍ୱାରା ଜାତୀୟ ରାଜପଥର ଉଭୟ ପାଶ୍ୱର୍ର ଦୈନିକ ପ୍ରାୟ ୩୦୦ ବ୍ୟବସାୟିକ ଯାନବାହାନ ଯିବା ଆସିବାରେ କୌଣସି ସମସ୍ୟା ରହିବ ନାହିଁ । ଏତଦ୍‌ବ୍ୟତୀତ କୁମୁଡ଼ା ଶିବ ମନ୍ଦିର ଓ ରାଣୀପୁର ଝରିଆଲ ଭଳି ପର୍ଯ୍ୟଟନ ସ୍ଥଳୀକୁ ସଂଯୋଗୀକରଣ ତଥା ଗମନାଗମନରେ ଉନ୍ନତି ହୋଇପାରିବ ।

Leave A Reply

Your email address will not be published.