ଓସିଏ ଭିଜନ ୨୦୨୪ : ବୁଡାବାହାଲ ଓ କଣ୍ଟାବାଞ୍ଜି କ୍ରିକେଟ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଆଜି ଦୁଇଟି ମ୍ୟାଚ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମ୍ୟାଚରେ ବୁଡାବାହାଲ କ୍ରିକେଟ ଦଳ ବିଜୟ ଲାଭ କରିଥିବା ବେଳେ ପାଟଣାଗଡ ଷ୍ଟାଡିୟମ ଠାରେ ଅନୁଷ୍ଠିତ ମ୍ୟାଚରେ କଣ୍ଟାବାଞ୍ଜି ଦଳ ବିଜୟୀ ହୋଇଛି । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ମ୍ୟାଚରେ ଆଜି ବୁଡାବାହାଲ କ୍ରିକେଟ ଦଳ ଓ ବଙ୍ଗୋମୁଣ୍ଡା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୁଡାବାହାଲ କ୍ରିକେଟ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ବୁଡାବାହାଲ ଦଳ ୨୪.୩ ଓଭରରେ ସମସ୍ତ ୱିକେଟ ହରାଇ ୧୪୨ ରନ୍‌ ସ୍କୋର କରିଥିଲେ । ବୁଡାବାହାଲ ଦଳ ତରଫରୁ ଭକ୍ତ ବକୁଲ ଓ ପ୍ରେମ ମହାକୁର ସର୍ବାଧିକ ୨୦ରନ୍‌ ଲେଖାଏଁ ସଂଗ୍ରହ କରିଥିଲେ । ବଙ୍ଗୋମୁଣ୍ଡା କ୍ରିକେଟ ଦଳ ତରଫରୁ ଶଶିଭୂଷଣ ମାଝୀ ସର୍ବାଧିକ ୩ ଗୋଟି, ହିମାନନ୍ଦ ହଂସ ୨ ଗୋଟି ଓ ପିଙ୍କୁ ହିଆଲ ୨ଗୋଟି ୱିକେଟ ଅକ୍ତିଆର କରିଥିଲେ । ୧୪୩ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ବଙ୍ଗୋମୁଣ୍ଡା କ୍ରିକେଟ ଦଳ ୩୧.୫ ଓଭରେ ୧୩୮ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ବେଳେ ସମସ୍ତ ୱିକେଟ ସହିତ ମ୍ୟାଚ ହରାଇ ବସିଥିଲେ । ବଙ୍ଗୋମୁଣ୍ଡା କ୍ରିକେଟ ଦଳ ତରଫରୁ ପ୍ରମିଶ ବାଗ ସର୍ବାଧିକ ୨୮ ରନ୍‌ ଓ ଚିନ୍ତନ ବିଶ୍ୱାଳ ୨୪ରନ୍‌ ସଂଗ୍ରହ କରିଥିଲେ । ବୁଡାବାହାଲ ଦଳ ତରଫରୁ ଧୁବଲେଶ୍ୱର ବକୁଲ ୪ ଗୋଟି ୱିକେଟ ଓ ଆଶିଷ ଖମାରୀ ୨ଗୋଟି ୱିକେଟ ଅକ୍ତିଆର କରିଥିଲେ । ଧୁବଲେଶ୍ୱର ବକୁଲଙ୍କୁ ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପୟାର ପୃଥ୍ୱୀରାଜ ମିଶ୍ର ଓ ମୁକେଶ ସ୍ୱାଇଁ ପରିଚାଳନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ସ୍କୋରର୍‌ ଦାୟିତ୍ୱ ତୁଲାଇଥିଲେ । ସେହିପରି ପାଟଣାଗଡ ଷ୍ଟାଡିୟମଠାରେ ଆୟୋଜିତ କ୍ରିକେଟ ପ୍ରତିଯୋଗିତା ଆଜି ଲାୟନ୍ସ କ୍ରିକେଟ ଏକାଡେମି ଓ କଣ୍ଟାବାଞ୍ଜି କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲାୟନ୍ସ ଦଳ ଟସ ଜିତି ପ୍ରଥମେ ବେଟିଂ କରିବାର ନିଷ୍ପତ୍ତିି ନେଇଥିଲା । ଲାୟନ୍ସ ଦଳ ପ୍ରଥମେ ବ୍ୟାଟିଂ କରି ୨୭ ଓଭରରେ ସମସ୍ତ ୱିକେଟ ହରାଇ ୧୪୧ ରନ୍‌ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଲାୟନ୍ସ ଦଳ ତରଫରୁ ବାବୁଲୁ ପାଣିଗ୍ରାହୀ ସର୍ବାଧିକ ୪୭ରନ୍‌ ଓ ଅଜୟ ନାଗ ୨୪ ରନ୍‌ କରିଥିଲେ । କଣ୍ଟାବାଞ୍ଜି କ୍ରିକେଟ ଦଳ ତରଫରୁ ସାହାବାଜ ଖାନ ସର୍ବାଧିକ ୩ଗୋଟି, ଦିବ୍ୟମ ଛାପଡିଆ ଓ ଖେତରାଜ ଠାକୁର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୧୪୨ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ କଣ୍ଟାବାଞ୍ଜି କ୍ରିକେଟ ଦଳ ୨୧ ଓଭରେ ମାତ୍ର ୩ ୱିକେଟ ହରାଇ ଆବଶ୍ୟକୀୟ ୧୪୨ ରନ ସଂଗ୍ରହ କରି ନେଇଥିଲେ । କଣ୍ଟାବାଞ୍ଜି ଦଳ ତରଫରୁ ରୁଦ୍ର ବାଗ (ଅପରାଜିତ)୬୭ରନ୍‌ ଓ ଯଶୋବନ୍ତ ୨୭ ରନ୍‌ ସଂଗ୍ରହ କରିଥିଲେ । ଲାୟନ୍ସ ଦଳ ତରଫରୁ ଅଜୟ ନାଗ ଓ ସତ୍ୟମ ମିଶ୍ରଙ୍କୁ ଗୋଟିଏ ଲେକାଏଁ ୱିକେଟ ମିଳିଥିଲା । ଫଳରେ କଣ୍ଟାବାଞ୍ଜି କ୍ରିକେଟ ଦଳ ୮ ୱିକେଟରେ ବିଜୟୀ ହୋଇଥିଲେ । ରୁଦ୍ର ବାଗଙ୍କୁ ତାଙ୍କର ଅପରାଜିତ ୬୭ରନ୍‌ର ପାରି ପାଇଁ ଶ୍ରେଷ୍ଠ ଖେଳାଳି ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ସମୀର ପାଣିଗ୍ରାହୀ ଓ ରଜତ ଦାଶ ପରିଚାଳନା କରିଥିବା ବେଳେ ଶୁଭମ ନାୟକ ସ୍କୋରର୍‌ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.