
ବ୍ରହ୍ମପୁର, (କେପିଏନ୍ଏସ୍) : ଆଉ ମାତ୍ର କିଛି ମାସ ପରେ ରାଜ୍ୟରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଏହି ନିର୍ବାଚନରେ ସଫଳତା ପାଇବା ପାଇଁ ରଣନୀତି ଆରମ୍ଭ କରିଛନ୍ତି । ସାରା ଭାରତ ବର୍ଷରେ କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ସାରା ଭାରତ ବର୍ଷ ସ୍ୱୀକାର କରୁଛି । ଏହି ସମୟରେ ଓଡ଼ିଶାର କଂଗ୍ରେସ ସର୍ବମାନ୍ୟ ନେତା ତଥା ସଭାପତି ଭକ୍ତ ଚରଣ ଦାସ ଦାୟିତ୍ୱ ନେବା ପରେ ମୃତ କଂଗ୍ରେସ ସଂଗଠନକୁ କ୍ରିୟାଶୀଳ କରି ରାଜ୍ୟରେ ନୂତନ ଦିଗଦର୍ଶନ ଦେଖାଇ ପାରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭକ୍ତଙ୍କ ନେତୃତ୍ୱ ପ୍ରତି ସମର୍ଥନ ବଢ଼ୁଥିବା ବେଳେ ଗଞ୍ଜାମର ନେତୃତ୍ୱ ସବୁଠାରୁ ଦୁର୍ବଳ ବୋଲି ଜଣାପଡ଼ିଛି । ସଂଗଠନର ଦାୟିତ୍ୱ ସମ୍ଭାଳିବା ପାଇଁ ଉପଯୁକ୍ତ ନେତା ଥିବା ସତ୍ୱେ ଜଣେ ଜନ ସମ୍ପର୍କ ନଥିବା ନେତାଙ୍କୁ ଦାୟିତ୍ୱ ଦେଇଥିବାରୁ ସଂଗଠନ କ୍ରିୟାଶୀଳ ହୋଇପାରୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ବିଶେଷ କରି ପ୍ରମୁଖ ଦଳ କୁହାଯାଉଥିବା ବିଜେପି, ବଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବା ସ୍ପଷ୍ଟ ଜଣାଯାଇଛି । ହେଲେ ରାଜ୍ୟରେ ବିଜେପି ଓ ବିଜେଡିର ସ୍ଥିତି ବରାବର ରହିଥିବା ବେଳେ କଂଗ୍ରେସ ସ୍ଥିତି ସଂପୂର୍ଣ୍ଣ ଦୁର୍ବଳ ହୋଇପଡିଛି । ଅତୀତରେ କଂଗ୍ରେସର ଗଡ଼ କୁହାଯାଉଥିବା ଗଞ୍ଜାମ ଜିଲ୍ଲା ସମସ୍ତ ନିର୍ବାଚନରେ ଅଧିକ ସଫଳତା ହାସଲକରି ରାଜ୍ୟ ରାଜନୀତିରେ ନିଜ ଦବଦବା ବଜାଇ ରଖିଆସୁଥିଲା । କିନ୍ତୁ ଏହି ଦଳ ଏବେ ପ୍ରାୟତଃ ନିଶ୍ଚିହ୍ନ ହୋଇଯାଇଛି । ଏଥିପାଇଁ ଜିଲ୍ଲା ସଂଗଠନ ପ୍ରତି ରାଜ୍ୟ ନେତୃତ୍ୱଙ୍କ ଅଣଦେଖା ଓ ଅବହେଳା ସାଙ୍ଗକୁ ଆନ୍ତରିକତାର ଅଭାବକୁ ଦାୟୀ କରାଯାଇଛି । ଉପଯୁକ୍ତ ନେତା ଓ ନେତୃତ୍ୱ ଅଭାବରୁ ଦଳ ରସାତଳକୁ ଚାଲିଯାଇ ଦିଗହରା ହୋଇପଡିଛି । ଦୀର୍ଘ ଦୁଇ ଦଶନ୍ଧି ଧରି ଦଳକୁ ସଂଜୀବନୀ ଦେଇଆସୁଥିବା ନେତା ଚନ୍ଦ୍ରଶେଖର ସାହୁ ଓ ବିକ୍ରମ ପଣ୍ଡା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ତ୍ୟାଗ କରି ବିଜେଡିକୁ ଚାଲିଯିବା ଏବଂ ଶେଷରେ ଚଳିତ ବର୍ଷର ରାଜ୍ୟସଭା ନିର୍ବାଚନ ପରେ ଜିଲ୍ଲାର ଏକମାତ୍ର ବିଧାୟକ ରମେଶ ଜେନାଙ୍କୁ ଦଳ ନିଲମ୍ୱିତ କରିଥିବାରୁ ରାଜ୍ୟ କଂଗ୍ରେସ ମାନଚିତ୍ରରୁ ଗଞ୍ଜାମ ଜିଲ୍ଲା ନିଶ୍ଚିହ୍ନ ହୋଇଯାଇଛି । ଅତୀତରେ ବ୍ରହ୍ମପୁର ଲୋକସଭା ଆସନରୁ ଆର. ଜଗନ୍ନାଥ ରାଓ, ଗୋପୀନାଥ ଗଜପତି, ପୂର୍ବତନ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓ, ଜୟନ୍ତୀ ପଟ୍ଟନାୟକ କଂଗ୍ରେସ ସାଂସଦ ଭାବେ ବିଜୟୀ ହୋଇଥିବା ବେଳେ ୨୦୦୪ରେ ଚନ୍ଦ୍ରଶେଖର ସାହୁ ଶେଷଥର ପାଇଁ ଦଳୀୟ ସାସଂଦ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ । ବିଧାନସଭା କ୍ଷେତ୍ରରେ ମଧ୍ୟ ସେହି ଏକା ଅବସ୍ଥା ଦେଖିବାକୁ ମିଳିଛି । ଗତ କିଛି ବର୍ଷ ହେଲା ନିର୍ବାଚନ ସମୟରେ ଦଳ ପୁରୁଣା ପ୍ରାଥୀଙ୍କୁ ବଦଳାଇ ନୂଆପ୍ରାର୍ଥୀ ଦେଇଆସୁଛି । ଯାହାଫଳରେ ଦଳୀୟ କର୍ମୀ ଓ ଭୋଟରମାନେ ଅଜଣା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅମଙ୍ଗ ହେଉଛନ୍ତି । ବ୍ରହ୍ମପୁର ବିଧାନସଭା ଆସନ ୧୯୬୭ ଠାରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସ ହାତରେ ଥିଲା । ୧୯୯୦ରେ ଏଠାରେ ଶିବଶଙ୍କର ସାହାଣୀ ଶେଷ କଂଗ୍ରେସ ବିଧାୟକ ହୋଇଥିବା ବେଳେ ୧୯୯୫ରୁ ଏହି ଆସନ ବିରୋଧୀ ହାତକୁ ଚାଲିଯାଇଛି । ୨୦୦୪ରେ ତ୍ରିନାଥ ବେହେରା ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ଶେଷଥର ପାଇଁ କଂଗ୍ରେସର ବିଧାୟକ ହୋଇଥିଲେ । ସେହି ଦିନ ଠାରୁ ଏଠାରେ ପ୍ରତି ନିର୍ବାଚନରେ ଦଳ ପ୍ରାର୍ଥୀ ବଦଳାଯାଉଛି । ଫଳରେ ୨୦୨୪ ନିର୍ବାଚନ ବେଳକୁ ଦଳର ଭୋଟ ୩୩୬୧ରେ ପହଁଚିଛି । ଛତ୍ରପୁରରେ କଂଗ୍ରେସ ବିଭିନ୍ନ ନିର୍ବାଚନରେ ଅନ୍ୟ ଦଳ ସହ ମେଣ୍ଟକରି ଏହି ଆସନକୁ ହାତଛଡା କରିଛି । ୧୯୯୫ରେ ଏଠାରୁ ଦୈତାରୀ ବେହେରା କଂଗ୍ରେସର ଶେଷ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଏହି ଆସନରେ କଂଗ୍ରେସର ଭୋଟ ୭୧୬୮ ରହିଛି । ଚିକିଟି ନିର୍ବାଚନ ମଣ୍ଡଳୀରେ ୧୯୮୫ ମସିହାରେ କଂଗ୍ରେସ ପ୍ରାର୍ଥୀ ଚିନ୍ତାମଣି ଦ୍ୱାନ ସାମନ୍ତରା ଶେଷଥର ପାଇଁ ବିଜୟୀ ହୋଇଥିବା ବେଳେ ଗତ ୨୦୨୪ ନିର୍ବାଚନରେ ଏଠାରେ ଦଳର ଭୋଟ ସଂଖ୍ୟା ୨୮୯୬କୁ ଖସି ଆସିଛି । ୨୦୦୮ରେ ରାଜ୍ୟରେ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ହେବାପରେ ଦିଗପହଣ୍ଡିକୁ ନୂଆ ନିର୍ବାଚନ ମଣ୍ଡଳୀର ମାନ୍ୟତା ମିଳିଛି । ୨୦୧୪ରେ ପରାଜିତ କଂଗ୍ରେସ ପ୍ରାର୍ଥୀ ସାକା ସୁଜିତ କୁମାର ୩୩୦୫୨ ଭୋଟପାଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ୨୦୨୪ ବେଳକୁ କଂଗ୍ରେସ ଦଳ ଟିକେଟ ଦେବାରେ ଚଞ୍ଚକତା କରିବା ଯୋଗୁଁ ଏହି ଭୋଟ ୧୦ ହଜାରକୁ ଖସି ଆସିଛି । ଯାହାକି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ସର୍ବାଧିକ । ଉଲ୍ଲେଖ କରାଯାଇପାରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାଞ୍ଚଟି ନିର୍ବାଚନ ମଣ୍ଡଳୀ ଯଥା ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଚିକିଟି ଓ ଦିଗପହଣ୍ଡିରୁ ମାତ୍ର ୨୮ ହଜାର ଭୋଟ ପାଇଥିଲେ । ଏଠାରେ ମଧ୍ୟ ଦଳ ବାରମ୍ୱାର ପ୍ରାଥୀ ବଦଳାଇ କ୍ଷତି ସହୁଛି । ପାରଳାଖେମୁଣ୍ଡି ଓ ମୋହନାରେ କଂଗ୍ରେସ ସ୍ଥିତି ବିଶେଷ ଖରାପ ନଥିବା ଜାଣିବାକୁ ମିଳିଛି । ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଜୟ ପଟ୍ଟନାୟକଙ୍କ ଅସୁସ୍ଥତା କାରଣରୁ ପାରଳାଖେମୁଣ୍ଡି ଆସନ କଂଗ୍ରେସ ହାତେଇବାରେ ଅସମର୍ଥ ହୋଇଛି । ତେବେ ମୋହନା ଆସନରେ କ୍ରମାଗତ ଦୁଇଥର ବିଜୟୀ ହୋଇଆସୁଥିବା କଂଗ୍ରେସ ବିଧାୟକ ଦଶରଥୀ ଗମାଙ୍ଗଙ୍କୁ ଦଳ ନିଲମ୍ୱନ କରିଛି । ଏଣୁ ଆଗାମୀ ନିର୍ବାଚନରେ ଦଳ ଉପରେ ଏହାର ପ୍ରଭାବ ପଡିବା ନରି ଆଶଙ୍କା ଦେଖାଦେଇଛି । ବ୍ରହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱ ରଶ୍ମି ରଞ୍ଜନ ପଟ୍ଟନାୟକକୁ ଦିଆଯାଇଛି । ଲୋକସଂପର୍କ ରକ୍ଷା ଦିଗରେ ସେ ସଂପୂର୍ଣ୍ଣ ବିଫଳ ହୋଇଥିବା ନେଇ ହାଇକମାଣ୍ଡଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି । ଗତ ଛାତ୍ର ସଂସଦ ନିର୍ବାଚନୀରେ ମଧ୍ୟ ସାରା ରାଜ୍ୟର ବିଭିନ୍ନ କଲେଜରେ ଦଳ ପକ୍ଷରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବା ବେଳେ ଜିଲ୍ଲା କଂଗ୍ରେସ ପକ୍ଷରୁ କୌଣସି କଲେଜରେ ପ୍ରାର୍ଥୀ ଦିଆଯାଇନଥିଲା । କେବଳ ବିନାୟକ ଆଚାର୍ଯ୍ୟ କଲେଜ ଓ ଭୀଷ୍ମଗିରି କଲେଜରେ କିଛି ପ୍ରାର୍ଥୀ ଦିଆଯାଇଥିଲା । ଗତ ୪ ନଭେମ୍ବରରେ ସଂସଦୀୟ କ୍ଷେତ୍ରର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ୧୦୦ରୁ ଅଧିକ କଂଗ୍ରେସ ନେତା, କର୍ମୀ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସଭାପତି ଶ୍ରୀ ଦାସଙ୍କୁ ସାକ୍ଷାତ ଆଲୋଚନା କରି ସାଂଗଠନିକ ବିଷୟରେ ସମ୍ପୂର୍ଣ୍ଣ ଅବଗତ କରାଇ ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ଗୁରୁତ୍ୱାରୋପ କରିଥିଲେ । ଏ ଦିଗରେ ଦୃଷ୍ଟି ନଦେଲେ ଆଗାମୀ ଦିନରେ କଂଗ୍ରେସ ସଂଗଠନ ରସାତଳଗାମୀ ହୋଇପଡ଼ିବ ବୋଲି ଦୋହରାଇଥିଲେ । ଅର୍ଣ୍ଣବ ବାତ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ ଓ କ୍ଷତିଗ୍ରସ୍ତ ଲୋକଙ୍କ ସାକ୍ଷାତ ପାଇଁ ପିସିସି ସଭାପତି ଶ୍ରୀ ଦାସ ଗତ ୫, ୬ ଓ ୭ ନଭେମ୍ବରରେ ଗଞ୍ଜାମ ଓ ଗଜପତି ଜିଲା ଗସ୍ତ କରିଥିଲେ । ଏହି ସମୟରେ ୫ ନଭେମ୍ବରରେ ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲା (ପୂର୍ବ) ସଭାପତିଙ୍କ ବିରୋଧରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାଗିରଥୀ ବେହେରା ଏବଂ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ନେତା, କର୍ମୀ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ । ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା । ଆଗାମୀ ଦିନରେ ପିସିସି କଣ ପଦକ୍ଷେପ ନେବ ଆଗାମୀ ଦିନରେ ଜଣାପଡ଼ିବ । ସେହିଭଳି ଜିଲ୍ଲାର ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି । ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ପୋଲସରା ବିଧାନସଭା ଆସନରୁ ୨୦୨୪ ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଜେପି ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଭାବେ ଲଢ଼ି ୪୪୫୩୯ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆଜି କଂଗ୍ରେସ ଭୋଟ ହ୍ରାସ ପାଇ ୩୭୬୩କୁ ଆସିଯାଇଛି । କବିସୂର୍ଯ୍ୟନଗରରେ ମଧ୍ୟ ୧୯୯୫ରେ ହରିହର ସ୍ୱାଇଁଙ୍କ ପରେ ଆଉ କେହି କଂଗ୍ରେସରୁ ବିଧାୟକ ଜିତିନାହାନ୍ତି । ୨୦୨୪ରେ କଂଗ୍ରେସ ପ୍ରାର୍ଥୀ ମାତ୍ର ୨୬୯୬ ଭୋଟ ପାଇଛନ୍ତି । ଖଲିକୋଟରେ ୧୯୮୦ ପରେ ଆଉ କେହି କଂଗ୍ରେସ ବିଧାୟକ ଜିତିନାହାନ୍ତି । ସେହିଭଳି ୧୯୮୫ରେ ଭଞ୍ଜନଗରରୁ ଉମାକାନ୍ତ ମିଶ୍ର, ୧୯୯୫ରେ ଆସିକାରୁ ଉଷାରାଣୀ ପଣ୍ଡା ଓ ହିଞ୍ଜିଳିରୁ ଉଦୟ ନାୟକ ଏବଂ ୨୦୦୦ ନିର୍ବାଚନରେ ସୋରଡ଼ାରୁ ଉଷାରାଣୀ ପଣ୍ଡା ଶେଷଥର ଲାଗି କଂଗ୍ରେସ ବିଧାୟକ ଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ସବୁ ଆସନରେ କଂଗ୍ରେସ ଖାତା ଖୋଲି ପାରିନି । ବରଂ ଏହି ସବୁ ନିର୍ବାଚନ ମଣ୍ଡଳୀରେ ଦଳର ଭୋଟ ସଂଖ୍ୟା ଏବେ ୩ ରୁ ୫ ହଜାରେ ରହିଛି । ଜିଲ୍ଲାରେ ଏବେ ସକ୍ରିୟ ପୁରୁଣା ନେତା କେହି ନାହାନ୍ତି । ନୂଆନେତା ଲୋକଙ୍କ ପାଖରେ ଗ୍ରହଣୀୟ ହେଉନାହାନ୍ତି । ଏଭଳି ସ୍ଥିତିରେ ଆଗାମୀ ଦିନରେ ହେବାକୁ ଯାଉଥିବା ପଞ୍ଚାୟତ ଓ ଅର୍ବାନ ନିର୍ବାଚନ ମୁକାବିଲା ପାଇଁ ପିସିସି ସଭାପତି କିଭଳି ରଣନୀତି ଆପଣାଇବେ ତାହାନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।