
ଅତାବିରା, (ମୋହନ ସାହୁ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଗୋଡ଼ଭଗା ମାର୍କେଟ ୟାର୍ଡ ପରିସରରେ ସୋମବାର ନୂତନ ଗୋଡ଼ଭଗା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର ଶୁଭ ଉଦ୍ଘାଟନ ହୋଇଛି । ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାକ୍ସର ଶୁଭାରମ୍ଭ କରିଥିଲେ । ଏହା ସହିତ ଅତାବିରା ବ୍ଲକରେ ପ୍ୟାକ୍ସ ସଂଖ୍ୟା ୧୦ରେ ପହଞ୍ଚିଛି । ଉଦ୍ଘାଟନୀ ସଭାରେ ବରଗଡ଼ ସମବାୟ ଉପ-ନିବନ୍ଧକ ଯୁଗଳ କିଶୋର ଦାଶ ଓ ପ୍ରଶାସକ ଡୋଳାମଣି ପୁରୋହିତ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ପୂର୍ବରୁ ଲହଣ୍ଡା ପ୍ୟାକ୍ସ ଅଧୀନରେ ଥିବା ଗୋଡ଼ଭଗା ଗ୍ରାମପଞ୍ଚାୟତର ଚାଷୀମାନଙ୍କ ପାଇଁ ଏବେ ସ୍ୱତନ୍ତ୍ର ଭାବେ ଗୋଡ଼ଭଗା ପ୍ୟାକ୍ସ କାର୍ଯ୍ୟ କରିବ । ଏହା ଫଳରେ ଚାଷୀମାନେ ସାର, ଫର୍ଟିଲାଇଜର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ସହଜରେ ପାଇପାରିବେ । ଆସନ୍ତା ବର୍ଷରୁ ଏହି ପ୍ୟାକ୍ସ ମାଧ୍ୟମରେ ସାର ବିକ୍ରୟ ସହ ବିଭିନ୍ନ କୃଷି ସେବା ଆରମ୍ଭ ହେବ । ଏହି ଅବସରରେ ବିଧାୟକ ନିହାର ରଞ୍ଜନ ମହାନନ୍ଦ କହିଥିଲେ ଯେ, ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ୟାକ୍ସ ଗଠନ କରାଯାଇଛି । ଏହା ମାଧ୍ୟମରେ ଧାନ ବିକ୍ରି, ଚାଷୀ ପଞ୍ଜିକରଣ ଓ ଅନ୍ୟାନ୍ୟ ସେବା ଭିଡ଼ ବିନା ଶୀଘ୍ର ସମ୍ପନ୍ନ ହୋଇପାରିବ । ବର୍ତ୍ତମାନ ପ୍ୟାକ୍ସର କାର୍ଯ୍ୟ ଏକ ଅସ୍ଥାୟୀ କୋଠାରେ ଆରମ୍ଭ ହୋଇଥିବାବେଳେ, ଖୁବଶୀଘ୍ର ସ୍ଥାୟୀ କୋଠା ନିର୍ମାଣ ଶେଷ ହେଲେ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ବିଧାୟକ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ଚାଷୀ, ସଚେତନ ନାଗରିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏହି ସମୟରେ ଗ୍ରାମବାସୀମାନେ ବିଧାୟକଙ୍କୁ ଗୋଡ଼ଭଗା ସମଲେଶ୍ୱରୀ ମନ୍ଦିର ପାଇଁ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ଏବଂ ଗ୍ରାମରେ ଅଧାରେ ରହିଥିବା କଲ୍ୟାଣ ମଣ୍ଡପର କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।