
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ବଡ଼ ଖବର । ନିଆଁ ଲାଗି ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି । ବଲାଙ୍ଗିର ସହରର ଗାନ୍ଧୀନଗର ପଡ଼ା ଫିସେରୀ ଅଫିସ ସମ୍ମୁଖରେ ଥିବା ଜଳରାମ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗି ପାଖାପାଖି ୮ ଗୋଟି ଦୋକାନର କୋଟି କୋଟି ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଛି । ମାର୍କେଟ କମ୍ପ୍ଲେକ୍ସରେ ଥିବା ଇଭି ସର୍ଭିସ ସେଣ୍ଟର, ହିରୋ ସ୍ପେୟାର ପାର୍ଟସ୍, ଫର୍ଣ୍ଣିଚର୍, ଔଷଧ ଦୋକାନ, ମିଠା ଦୋକାନ, ଟୁ ହ୍ୱିଲର ସର୍ଭିସ ସେଣ୍ଟର ଭଳି ଦୋକାନ ଗୁଡ଼ିକ ଥିଲା । ହଠାତ୍ ଭୋର୍ରୁ ମାର୍କେଟ କମ୍ପ୍ଲେକ୍ସ ମାଲିକ ଧୂଆଁ ବାହାରୁଥିବା ଦେଖି ଦୋକାନ ମାଲିକ ମାନଙ୍କ ସହ ଦମକଳ ବାହିନୀକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରିଥିଲା । ନିଆଁ ଏତେ ଜୋର ଲାଗିଥିଲା ଯେ ଇଭି ସର୍ଭିସ ସେଣ୍ଟରରେ ଯେତେ ସବୁ ଗାଡ଼ି ଥିଲା ଓ ସ୍ପେୟାର ପାର୍ଟସ୍ ସେଣ୍ଟର ଓ ଫର୍ଣ୍ଣିଚର୍ ଦୋକାନ ସାମଗ୍ରୀ ସବୁ ସମ୍ପୂର୍ଣ୍ଣ ଜଳି ପଡ଼ି ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଛି । ଅନ୍ୟ ଦୋକାନ ଗୁଡିକୁ ଅଳ୍ପ ନିଆଁ ଲାଗିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ହିଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ୮ ଗୋଟି ଦୋକାନର ପାଖାପାଖି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ମାର୍କେଟ କମ୍ପ୍ଲେକ୍ସ ମାଲିକ କେମିତି ନିଆଁ ଲାଗିଲା ସେ ବିଷୟରେ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।
