
ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୃଥିବୀ ପୃଷ୍ଠରେ ମାତ୍ର ୩ ପ୍ରତିଶତ ପାନୀୟ ଜଳ ରହିଛି । ପାନୀୟ ଜଳ ପାଇଁ ହିଁ ଭବିଷ୍ୟତରେ ତୃତୀୟ ବିଶ୍ଵଯୁଦ୍ଧ ହେବାର ସମ୍ଭାବନା ରହିଛି । ସେହି ଜଳର ଆବଶ୍ୟକ ସଂରକ୍ଷଣ ଓ ସଦୁପଯୋଗ କରିବା ସହିତ ପିଇବା ପାଣିର ଅପଚୟ ରୋକିବା ଦିଗରେ ଆହୁରି ଜନସଚେତନତା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସ୍ଥାନୀୟ ଯୋଗିସର୍ଡା ଠାରେ ଆୟୋଜିତ ଜଳ ଅର୍ପଣ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଆହ୍ୱବାନ ଜଣାଇଛନ୍ତି । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ “ହର ଘର ଜଳ” ଯୋଜନାରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ଠାରେ ଆୟୋଜିତ ଜଳ ଅର୍ପଣ ଦିବସ ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ତରଣୀ ସୁନା, ବିଡ଼ିଓ ଅକ୍ଷୟ ପାଣି ଉଦୂ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଗଗନ କିଶାନ, ସରପଞ୍ଚ ବିଜୁଳି ପଧାନ, ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡୋଲେଶ୍ୱରୀ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଚେତନତା ଉଦ୍ଦେଶ୍ୟରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ବସ୍ତି ପରିକ୍ରମା କରାଯାଇଥିଲା । ଏହି ଅବସରରେ ଜଳ ସଂରକ୍ଷଣ ସକାଶେ ମନ୍ତ୍ରୀ ଡ. ମହାଲିଙ୍ଗ ଉପସ୍ଥିତ ଜନସାଧାରଣଙ୍କୁ ଶପଥ ପାଠ କରାଇଥିଲେ । ଜ୍ୟୋତିପ୍ରକାଶ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସାଦ ସାମନ୍ତରାୟ, କନିଷ୍ଠ ଯନ୍ତ୍ରୀ ମରିସ ରୋସନ ଡୁଙ୍ଗଡୁଙ୍ଗ, ଏବିଡ଼ିଓ କିଶୋର ମାନସିଂହ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ବିଡ଼ିଓ ଶ୍ରୀ ଉଦୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।