ଖପ୍ରାଖୋଲ ପୋଲିସର ବଡ଼ ସଫଳତା : ୮ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ପୋଲିସ ୧୧ କେଭି ବିଦ୍ୟୁତ ତାର ଚୋରି କରୁଥିବା ଏକ ସକ୍ରିୟ ଚୋର ଗ୍ୟାଙ୍ଗକୁ ଧରିବାରେ ବଡ଼ ସଫଳତା ହାସଲ କରିଛି । ଗତ ପ୍ରାୟ ୬ ମାସ ଧରି ଏହି ଗ୍ୟାଙ୍ଗ ସିନ୍ଧେକେଲା, ବେଲପଡା, ଲରମ୍ଭା ଓ ଖପ୍ରାଖୋଲ ଅଞ୍ଚଳର ୧୧ କେଭି ବିଦ୍ୟୁତ ସଂଯୋଗ ଲାଇନରୁ ତାର ଚୋରି କରି ଆସୁଥିଲେ, ଯାହା ଫଳରେ ବିଦ୍ୟୁତ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା ଏବଂ ପୋଲିସ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇଥିଲା । ଗୁପ୍ତ ସୂଚନା ଓ ସହାୟତା ଆଧାରରେ ପୋଲିସ ଚଢ଼ାଉ କରି ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିରେ ଚୋରା ବିଦ୍ୟୁତ ତାର ଗ୍ରହଣ କରୁଥିବା ରିସିଭର ମଧ୍ୟ ସାମିଲ ରହିଛନ୍ତି । ପୋଲିସ ପଚରା ଉଚରାରେ ଗିରଫ ଅଭିଯୁକ୍ତମାନେ ୧୧ କେଭି ବିଦ୍ୟୁତ ତାର ଚୋରି କରି ସେଗୁଡ଼ିକୁ ଗ୍ରହଣକାରୀଙ୍କ ନିକଟରେ ବିକ୍ରି କରୁଥିବା କଥା ସ୍ୱୀକାର କରିଛନ୍ତି । ପୋଲିସ ତଦନ୍ତରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଗ୍ରହଣକାରୀ ନିଜ କାରଖାନାରେ ଚୋରା ତାରକୁ ଗଳାଇ ଆଲୁମିନିୟମ ବାସନ ତିଆରି କରୁଥିଲେ । ଗିରଫ ଅଭିଯୁକ୍ତମାନେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଓ ବେଲପଡା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ହେଲେ — ଅଶୋକ ମଲ୍ଲିକ (୩୧), ନୃପା ବାଗର୍ତ୍ତି (୨୫), ପ୍ରଶାନ୍ତ ବାଗର୍ତ୍ତି (୨୭), ରୋହିତା କୁମ୍ଭାର (୨୩), ଭରତ କୁମ୍ଭାର (୨୪), ମୁକେଶ ନାଏକ (୨୬), ସଞ୍ଜୟ ତାଣ୍ଡି (୨୬) ଏବଂ ପ୍ରକାଶ ବେହେରା (୨୮) । ଏନେଇ ଶୁକ୍ରବାର ଖପ୍ରାଖୋଲ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୁଝାରୀ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି । ଏହି ସଫଳତା ପଛରେ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତରଙ୍କ ଅକ୍ଲାନ୍ତ ପରିଶ୍ରମ, ସତର୍କତା ଓ ଦୃଢ଼ ପଦକ୍ଷେପକୁ ପୋଲିସ ମହଲ ସହିତ ସାଧାରଣ ଜନତା ମଧ୍ୟ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.