ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାପଲହର ଗାୟତ୍ରୀ ଉଚ୍ଚ ବିଦ୍ୟାଳୟର ୩୪ ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ତ୍ରିଦିବସୀୟ ମହା ସମାରୋହର ଶେଷ ଦିନରେ ବାର୍ଷିକ ସଭା ଅନୁଷ୍ଠିତ ହେବା ପୂର୍ବରୁ ଗତ ୧୭ ଓ ୧୮ ତାରିଖରେ ବାର୍ଷିକ କ୍ରୀଡ଼ା ଉତ୍ସବ ଆୟୋଜିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ସମାରୋହରେ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଅଦନ ସୁନା ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ପ୍ରୀତିରଞ୍ଜନ ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ବିନନ୍ଦ ସାହୁ, ବାଦିକଟା କ୍ଲଷ୍ଟରର ସି.ଆର୍.ସି. ଋଷଭ ସାହୁ ଏବଂ ମୋ ସ୍କୁଲ ଅଭିଯାନର ଚେୟାରମ୍ୟାନ ଦୀପକ ପ୍ରଧାନ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ବିଦ୍ୟାଳୟର ଆରାଧ୍ୟ ଦେବୀ ମା’ ସିଦ୍ଧିଦାତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ ସହିତ । ଏହାପରେ ବିଦ୍ୟାଳୟର ଛାତ୍ରୀମାନେ ଏକ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ କରି ସମସ୍ତଙ୍କୁ ମୋହିତ କରିଥିଲେ । ପ୍ରଧାନ ଶିକ୍ଷକ ନିରୋଜ ପଟ୍ଟନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ପ୍ରଦାନ କରି ଗତ ବର୍ଷର କାର୍ଯ୍ୟସୂଚୀ ଓ ଅଭିବୃଦ୍ଧି ସମ୍ବନ୍ଧରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି, ମୁଖ୍ୟବକ୍ତା ଏବଂ ଅନ୍ୟ ସମ୍ମାନୀତ ଅତିଥିମାନେ ନିଜ ନିଜ ଭାଷଣରେ ଛାତ୍ରଛାତ୍ରୀଙ୍କ ମନୋବଳ ଉନ୍ନୟନ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏବଂ ଶିକ୍ଷା ଓ ଅନୁଶାସନ ପ୍ରତି ଆଗ୍ରହୀ ହେବା ପାଇଁ ଉତ୍ସାହିତ କରିଥିଲେ । ଦୁଇଦିନ ଧରି ଆୟୋଜିତ ବାର୍ଷିକ କ୍ରୀଡ଼ା ଉତ୍ସବର ପରିଚାଳନା କରିଥିଲେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନାର ଖେଳ ଶିକ୍ଷକ ବୁଲୁ ମଲ୍ଲିକ । ତାଙ୍କୁ ଶୁକଦେବ ପ୍ରଧାନ, ମନୋହର ସାହୁ ଓ ମହାଦେବ ମରହୀ ସହଯୋଗ କରିଥିଲେ । ଶେଷରେ କ୍ରୀଡ଼ା ଓ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ ମୋରାରଜୀ ପଧାନ ଧନ୍ୟବାଦ ଜଣାଇବା ସହିତ ବିଦ୍ୟାଳୟର ବିଭିନ୍ନ କମିଟି ଓ ସମସ୍ତ ଶିକ୍ଷା କର୍ମଚାରୀଙ୍କ ସହଯୋଗ ଓ କଠିନ ପରିଶ୍ରମକୁ ଏହି କାର୍ଯ୍ୟକ୍ରମର ସଫଳତାର ମୁଖ୍ୟ କାରଣ ବୋଲି ଉଲ୍ଲେଖ କରିଥିଲେ । ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହଯୋଗରେ ଏହି ବାର୍ଷିକ ଉତ୍ସବ ସଫଳତାର ସହିତ ସମାପ୍ତ ହୋଇଥିଲା ।
Prev Post